ପୁଣି ଘୁଂଚିଲା ମାଟ୍ରିକ ଖାତା ମୂଲ୍ୟାୟନ: ୨୧ରୁ ଆରମ୍ଭ ହେବନି ଖାତା ଦେଖା; ସମ୍ଭାବ୍ୟ ବାତ୍ୟା ଯୋଗୁଁ ଗଣଶିକ୍ଷା ବିଭାଗର ନିଷ୍ପତି

450

କନକ ବ୍ୟୁରୋ: ପୁଣି ଘୁଚିଲା ମାଟ୍ରିକ ଖାତା ମୂଲ୍ୟାୟନ । ୨୧ରୁ ଆରମ୍ଭ ହେବନି ଖାତା ଦେଖା । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଗଣଶିକ୍ଷା ବିଭାଗର ଏହି ନିଷ୍ପତି ନିଆଯାଇଛି । ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ଖାତା ଦେଖାକୁ ସ୍ଥଗିତ ରଖାଯାଇଛି । ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଗତକାଲି ନିଷ୍ପତି ହୋଇଥିଲା ।

ସାମୁଦ୍ରିକ ଝଡ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନକୁ ପୁଣି ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ପରୀକ୍ଷାଖାତା ମୂଲ୍ୟାଙ୍କନ ଲାଗି ତାରିଖ ସ୍ଥିର ହୋଇ ଘୁଞ୍ଚି ସାରିଛି। ସୂଚନା ଅନୁସାରେ,  ପୂର୍ବ ନିର୍ଦ୍ଧାରିତ ୨୦ ତାରିଖ ପରିବର୍ତ୍ତେ ୨୧ ତାରିଖଠାରୁ ଖାତା ଦେଖା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା । ମାଟ୍ରିକ୍‌ ଉତ୍ତର ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ରାୟ ପରେ ମୂଲ୍ୟାୟନ କେନ୍ଦ୍ର ଚୟନ ଓ ଦୂରତା‌ ନେଇ ଗତକାଲି ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ଗତକାଲିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୫୭ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଅତିବେଶିରେ ୨୦୦ ମୂଲ୍ୟାୟନକାରୀକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସାମାଜିକ ଦୂରତା ସହ ମୂଲ୍ୟାୟନକାରୀ ମାସ୍କ ପରିଧାନ କରିବେ। ସାନିଟାଇଜେସନରେ ହାତ ସଫା ରଖିବେ। ଯଦି କୌଣସି ମୂଲ୍ୟାୟନ କେନ୍ଦ୍ରରେ ୨୦୦ ମୂଲ୍ୟାୟନକାରୀ ବସିବାରେ ଅସୁବିଧା ହୁଏ ସେଭଳି ସ୍ଥଳେ କେନ୍ଦ୍ରର ସୁପରଭାଇଜର ନିକଟସ୍ଥ ସମ୍ପ୍ରସାରଣ କେନ୍ଦ୍ରକୁ ମୂଲ୍ୟାୟନ ପାଇଁ ବ୍ୟବହାର କରିପାରିବେ। ଯେଉଁମାନେ ଖାତା ମୂଲ୍ୟାୟନ ‌କରିବାକୁ ଆସିବେ ସେମାନଙ୍କ ଘର ଦୂରତା‌ ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିମିରୁ ଅଧିକ ହୋଇ ନ ଥିବ। ଗତ ମାର୍ଚ୍ଚ ୧୮ ଓ ୧୯ ତାରିଖରେ ଖାତା ଦେଖିବାକୁ ଆସିଥିବା ମୂଲ୍ୟାୟନକାରୀ, ନୂତନ ଭାବେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାସଭବନ ଯେପରି ୧୦ କିମି ଦୂରରେ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।