ସାମ୍ନାକୁ ଆସିଲା ସ୍ୱଚ୍ଛ ଭାରତ ଅଭିଯାନର ସତ ! ଲୋକଙ୍କୁ ନଦେଇ ୭ଶହରୁ ଅଧିକ ପାଇଖାନା ଟଙ୍କା ଚଳୁ କରିନେଲେ ଦଲାଲ୍

928

କନକ ବ୍ୟୁରୋ: ଲୋକଙ୍କର କାମ ହୋଇନାହିଁ କିନ୍ତୁ ସରକାରୀ ଦପ୍ତରରୁ ଟଙ୍କା ଉଠି ପହଂଚିଯାଇଛି ଠିକାଦାରଙ୍କ ପକେଟରେ । ଫାଇଲ ପତ୍ର ବି ପୂରା ରେଡି, ସମସ୍ତଙ୍କ କାମ ହୋଇଛି ବୋଲି ମଧ୍ୟ ବିଭାଗୀୟ ୱେବସାଇଟରେ ବି ପ୍ରକାଶିତ କରାଯାଇଛି । ହେଲେ ବାସ୍ତବରେ କାମ ଶୂନ । ପାଖାପାଖି ୭୦୦ ପାଇଖାନା ଏହିଭଳି ମିଛ ବିଲ୍ କରି ଖାଇଯାଇଛନ୍ତି ସରକାରୀ ବାବୁ ଓ ଠିକାଦାର ।

ସ୍ୱଚ୍ଛ ଭାରତ ଅଭିଯାନ । ଦେଶରେ ମୋଦି ସରକାର ଆସିବା ପରଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଦେଶକୁ ସ୍ୱଚ୍ଛତା ଆଡକୁ ଆଗେଇ ନେଉଛି । ଆଉ ଏହି ଅଭିଯାନର ମୁଖ୍ୟ ନିୟମ ହେଉଛି ବାହାରକୁ ଶୌଚ ନଯାଇ ସରକାର ଯୋଗେଇ ଦେଉଥିବା ପାଇଖାନାରେ ଶୌଚ ଯିବା । ଏହାପାଇଁ ଦେଶର ପ୍ରତି ପଚାଂୟତରେ ଥିବା ଗାଁମାନଙ୍କୁ ବ୍ଲକ ମାଧ୍ୟମରେ ପାଇଖାନା ଯୋଗାଇ ଦେଉଛନ୍ତି ସରକାର । ଗୋଟିଏ ପାଇଖାନା ପ୍ରତି ୧୨୦୦୦ ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କାରଯାଉଛି । କୌଣସି କ୍ଷେତ୍ରରେ ହିତାଧିକାରୀ ନିଜ ପାଇଖାନା ନିଜେ କରିବା ପାଇଁ ଇଚ୍ଛା କଲେ ତାଙ୍କ ଆକାଉଂଟକୁ ଏହି ଟଙ୍କା ପହଂଚୁ ଥିବା ବେଳେ ଗୋଟିଏ ଗୋଟିଏ ପଂଚାୟତ କୁ କନଟ୍ରାକ୍ଟ ବେଶିକରେ ମଧ୍ୟ ଠିକାଦରମାନଙ୍କୁ ବ୍ଲକ ତରଫରୁ ପାଇଖାନା ତିଆରି ପାଇଁ ଦିଆଯାଉଛି । ହେଲେ ଏହି ଯୋଜାନରେ ଆରାମ ଓ ବେଧଡକ ହିସାବରେ କଳା ଟଙ୍କା ଉପାର୍ଜନ କରିବାର ବାଟ ବାହାର କରିଦେଇଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ ଓ ଠିକାଦର ।

ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ବ୍ଲକର ଅଲାପକା ପଂଚାୟତରେ ହୋଇଛି ଏହି ପାଇଖାନାର ମହାର୍ଦୁନୀତି । ଶେଷକୁ ପାଇଖାନକୁ ବି ଖାଇଗଲେ । ପାଂଚ କି ଦଶଟି ନୁହେଁ ପ୍ରାୟ ୭୦୦ ରୁ ଅଧିକ ପାଇଖାନା ନାଁ ମିଛ ବିଲ କରାଯାଇ ଟଙ୍କା ଆତ୍ମସାତ୍ କରିଛନ୍ତି ଦଲାଲ । ସରକାରୀ ରିର୍ପୋଟ କହୁଛି ଚଳିତ, ୨୦୧୮-୧୯ ଆର୍ଥିକ ବର୍ଷରେ ଲେଫ୍ରିପଡା ବ୍ଲକ ଅଲାପକା ପଂଚାୟତରେ ୧୨୩୪ଟି ପାଇଖାନା ତିଆରି କରିବା ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମଞ୍ଜୁରୀ ହୋଇ ବ୍ଲକ ପାଖକୁ ଚିଠି ଆସିଥିଲା ଓ ୨୦୧୯ ମାର୍ଚ୍ଚ ପୂର୍ବରୁ ଏହି କାର୍ଯ୍ୟକୁ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବ୍ଲକ ଅଧିକାରୀ ଏହାକୁ ସିଧାସଳଖ ଏହି ଟଙ୍କା ହିତାଧିକାରୀଙ୍କ ଖାତାକୁ ପ୍ରଦାନ ନକରି ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱବଧାରେ କରିଥିଲେ ଆଉ ସେମାନେ ବିନା ଅଫିସ୍ ଟେଣ୍ଡର କରି କିଛି ଠିକାଦରଙ୍କୁ ଏହି କାର୍ଯ୍ୟ ହସ୍ତାନ୍ତର କରିଥିଲେ । ଏବଂ ଠିକ ମାର୍ଚ୍ଚ ମାସ ପୂର୍ବରୁ ୧୨୩୪ ଟି ପାଇଖାନା ଘର ପାଇଁ ୧୪ କୋଟି ୮୦ଲକ୍ଷ ୮ହାଜର ଟଙ୍କା ବିଲ୍ କରି ଉଠାଇ ନେଇଥିଲେ ।

ଏହାପରେ ବର୍ତମାନ ପଂଚାୟତକୁ ଅଲାପକା ପଂଚାୟତର ୨୦୧୮-୧୯ ଆର୍ଥିକ ବର୍ଷରେ ତିଆରି ହୋଇଥିବା ପାଇଖାନାର ଲିଷ୍ଟ ଆସିବା ପରେ ଏହି ଚାଂଚଲ୍ୟ କର ଘଟଣା ସାମ୍ନାକୁ ଆସିଛି । ଆଉ ତାହା ମଧ୍ୟରୁ ସାମ୍ନାକୁ ଆସିଥିଲା ଯେ କିଭଳି ଭାବରେ ଚଂଚକତା କରି ଓ ଡିଜିଟାଲ ସଫ୍ଟୱେରର ସହଯୋଗରେ ଏହି ର୍ଦୁନୀତିକୁ ରୂପ ଦିଆଯାଇଛି ।
ସାଧାରଣତଃ ତିନୋଟି ଉପାୟ ରେ ଏହି ପାଇଖାନା ର୍ଦୁନୀତିକୁ ରଙ୍ଗ ଦିଆଯାଇଛି ।

୧- ଯେଉଁ ବ୍ୟକ୍ତି ମାନେ ନିଜ ଟଙ୍କାରେ ଘର ତିଆରି କରିବା ବେଳକୁ ନିଜ ଟଙ୍କାରେ ପାଇଖାନା ତିଆରି କରିଛନ୍ତି । ସେମାନଙ୍କ ପାଖକୁ ଯାଇ ସ୍ୱଚ୍ଛ ଭାରତ ଅଭିଯାନରେ ଟଙ୍କା ମିଳିବ ବୋଲି କହି ତାଙ୍କ ନିଜ ତିଆରି ପାଇଖାନରେ ସ୍ୱଚ୍ଛ ଭାରତ ଅଧୀନରେ ତିଆରି ହୋଇଥିବା ଲେଖା ଲେଖି ଫଟୋ ଉଠାଇ ବିଲ୍ କରିଛନ୍ତି ।

୨- ଅଥବା ଯେଉଁ ହିତାଧିକାରୀଙ୍କ ଆଦୌରୁ ପାଇଖାନ ନାହିଁ ତାଙ୍କ ନାଁ ରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଫଟୋ ଦେଇ ବିଲ ଉଠାଇ ନେଇଛନ୍ତି ।

୩- ଅନ୍ୟତଃ କିଛି ମାତ୍ରାରେ ତିଆରି କରିଥିବା ପାଇଖାନରେ ହିତାଧିକାରୀଙ୍କ ନାମ ଲେଖି ଫଟୋ ଉଠାଇବା ପରେ ତାହା ଉପରେ ପୁଣି ରଙ୍ଗ ମାରି ଖାଲି କାନ୍ଥର ଫଟୋ ଉଠାଇ ପୁଣି ତାହାକୁ ଫଟୋସଫ୍ ସଫ୍ଟୱେର ରେ ଅନ୍ୟ ଜଣ ଙ୍କ ଫଟୋ ଓ ନାଁ କୁ ଲେଖି ନୂଆ ଲୋକଙ୍କ ନାଁ ରେ ବିଲ୍ ଉଠାଇ ନେଇଛନ୍ତି ।

ହେଲେ ଏଠି ଅନେକ ପ୍ରଶ୍ନ ଉଠୁଛି ୨୦୧୮-୧୯ ରେ ଲେଫ୍ରିପଡା ବ୍ଲକ ତରଫରୁ ଅଲାପକାରେ ତିଆରି କରାଯାଇଥିବା ପାଇଖାନାକୁ ବିଭାଗୀୟ ସହକାରି ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ନିଜ ତତ୍ୱାବଧାନରେ ଏହି କାର୍ଯ୍ୟ ଚାଲିଥିଲା ହେଲେ ବିଭାଗୀୟ କାର୍ଯ୍ୟ ହେଲେ ସୁଦ୍ଧା ଯନ୍ତ୍ରୀ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଏହି କାମ ଦେଇ କାର୍ଯ୍ୟର ତଦାରଖ ନକରି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ବୋଲି ରିର୍ପୋଟ ଦେଲେ କିପରି । ଏଥିରେ ଯନ୍ତ୍ରୀ ମାନଙ୍କ ସହ ଅନ୍ୟ କୌଣସି ସରକାରୀ ଅଧିକାରୀ ସଂଶ୍ଳିଷ୍ଟ ଅଛନ୍ତି କି ? ଏହିଭଳି ଅନେକ ପ୍ରଶ୍ନ ଏବେ ସାମ୍ନା କୁ ଆସିଛି । ସେପଟେ, ଏନେଇ ଜିଲ୍ଲପାଳ କହିଛନ୍ତି ଘଟଣା ତାଙ୍କ ନଜରକୁ ଆସିଛି ତଦନ୍ତ ଚାଲିଛି । ଏକ ଟିମ୍ ଘଟଣାର ଅନୁଧ୍ୟାନ କରୁଛନ୍ତି । ଯାହାର ସଂପୃକ୍ତି ନଜରକୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲପାଳ କହିଛନ୍ତି । ତେବେ ଜିଲ୍ଲପାଳଙ୍କ ଏହି ତଦନ୍ତ ଦୁର୍ନୀତିଖୋରଙ୍କୁ ଉଚିତ ଜବାବ ଦେବ କି କେବଳ ଏହା କେବଳ ଏକ ତଦନ୍ତ ହୋଇ ରହିଯିବ ତାହା ଦେଖିବାକୁ ବାକି ରହିଲା ।