ଆସନ୍ତା ୧୧ ନଭେମ୍ବରରୁ ମେକ ଇନ ଓଡିଶା କନକ୍ଲେଭ ଆରମ୍ଭ । ଚାଇନା, ଜାପାନ ସହ ୫୮ ବିଦେଶୀ ପ୍ରତିନିଧି ଦେବେ ଯୋଗ

47

କନକ ବ୍ୟୁରୋ : ଆସନ୍ତା ନଭେମ୍ବର ୧୧ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ। ଏଥିରେ ଚାଇନା, ଜର୍ମାନୀ, ଜାପାନ, ଇଟାଲୀ, ଦକ୍ଷିଣ କୋରିଆ, ୟୁଏଇ ଆଦି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୬୦ଜଣ ଶିଳ୍ପ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଗତକାଲି ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ (ଫିକି)ର ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ଚଳିତବର୍ଷ ଯେପରି ଏହି କନକ୍ଲେଭ ଜରିଆରେ ଅଧିକ ପୁଞ୍ଜିନିବେଶ ହୋଇପାରିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

 

ଫିକିର ସେକ୍ରେଟାରି ଜେନେରାଲ ଦିଲ୍ଲୀପ ଚେନୟ ଓ ଡେପୁଟି ସେକ୍ରେଟାରି ଜେନେରାଲ ଅରୁଣ ଚାୱଲା ଆଲୋଚନାରେ ଯୋଗ ଦେଇ କହିଲେ, ବିଦେଶୀ ରାଷ୍ଟ୍ରର ୬୦ ପ୍ରତିନିଧିଙ୍କ ସମେତ ୫୦ଟି ଭାରତୀୟ ବୃହତ କମ୍ପାନି ଚଳିତବର୍ଷର ମେକ୍ ଇନ୍ ଇଣ୍ଡିଆ କନକ୍ଲେଭରେ ଯୋଗ ଦେଇ ନିଜର ଉତ୍ପାଦ ପ୍ରଦର୍ଶନ କରିବେ। ସେହିପରି ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ରସାୟନ, ଏରୋସ୍ପେସ୍ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରିତ କରାଯାଇଥିବା ଶିଳ୍ପସଂସ୍ଥାଗୁଡ଼ିକର ପ୍ରାୟ ଦୁଇ ହଜାରରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ