ବର୍ଷାରେ ଭିଜିବ ନୂଆବର୍ଷ ! ୧ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା; ୨ତାରିଖରେ ଭିଜିପାରେ ଉତ୍ତର ଓଡ଼ିଶା

ସେପଟେ ଶୀତ ବଢିବା ନେଇ ସତର୍କ କଲା ପାଣିପାଗ ବିଭାଗ

837

କନକ ବ୍ୟୁରୋ: ଜାଡରେ ଥରୁଛି ସାରା ଓଡିଶା । ସ୍ୱାଭାବିକଠାରୁ ୬ଡିଗ୍ରୀ ଖସିଆସିଛି ପାରଦ । ଆହୁରି ଦୁଇ ଦିନ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ । ଏଥିପାଇଁ ଅଧା ଓଡିଶାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ।

 

ତେବେ ରାଜ୍ୟରେ ହଠାତ୍ ପ୍ରବଳ ଶୀତ ପଡିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ନୂଆବର୍ଷରେ ଓଡିଶାକୁ ଭିଜାଇବ ହାଲକା ବର୍ଷା । ଜାନୁଆରୀ ପହିଲାରେ ଆଭ୍ୟନ୍ତରୀଣ ଓଡିଶା ଓ ୨ ତାରିଖରେ ଉତ୍ତର ଓଡିଶାରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସେହିଭଳି ଶୀତ ବଢିବ ବୋଲି ବି ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ, ସାରା ରାଜ୍ୟରେ ଜନଜୀବନକୁ ପ୍ରଭାବିତ କରିଛି ଜାଡ । ପଶ୍ଚିମ ଓଡ଼ିଶାଠାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସମୁଦ୍ର କୂଳିଆ ଅଂଚଳରେ ମଧ୍ୟ ଜାରି ରହିଛି ଶୀତର ପ୍ରକୋପ । ପିଲାଠୁ ବୁଢା ପର୍ଯ୍ୟନ୍ତ ଶୀତର ପ୍ରକୋପରେ ସଭିଏଁ ଅତିଷ୍ଠ ହୋଇପଡିଛନ୍ତି । ସଂଧ୍ୟା ହେବା ମାତ୍ରେ ମାଡିଆସୁଛି କାଠୁଆ ଜାଡ । ଶୀତଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳିଛି ।