ମହାନଦୀର ବାଟ ବନ୍ଦ ନକରିବାକୁ ଛତିଶଗଡକୁ ଚିଠି ଲେଖିବ ଓଡିଶା ! ଉପରମୁଣ୍ଡରେ ବର୍ଷାର ଅଭାବ କାରଣରୁ ହୀରାକୁଦକୁ କମିଛି ମହାନଦୀର ସ୍ରୋତ

22

କନକ ବ୍ୟୁରୋ : ଉପର ମୁଣ୍ଡରେ କମ୍ ବର୍ଷା ଯୋଗୁଁ ମହାନଦୀ ପାଇଁ ମାଡି ଆସୁଛି ବିପଦ । ଚଳିତ ବର୍ଷ ଏହି ଜଳ ଭଣ୍ଡାରକୁ କମ୍ ପାଣି ପ୍ରବେଶ କରୁଥିବା ଜଣାପଡିଛି । ଗତ ବର୍ଷ ଅଧିକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଆଜି ମାତ୍ର ୯୨ ହଜାର ୫୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି । ଏବେ ହୀରାକୁଦର ଜଳସ୍ତର ୬୨୨ ଦଶମିକ ୮୩ ଫୁଟ ରହିଛି । ସେପ୍ଟେମ୍ବର ମାସରେ ଯଥେଷ୍ଟ ବର୍ଷା ନହେଲେ ଅକ୍ଟୋବର ବେଳେକୁ ସମସ୍ୟା ବଢିବା ସମ୍ଭାବନା ଥିବା ଆକଳନ କରାଯାଇଛି । ଏହି ସମୟରେ ଛତିଶଗଡ କଲମା ବ୍ୟାରେଜର ଗେଟ୍ ପକାଇ ଦେଇ ପାରନ୍ତି ।

ଏହା ହୀରାକୁଦ ଓ ମହାନଦୀ ଉପରେ ନିର୍ଭର କରୁଥିବା ଚାଷୀଙ୍କୁ ପ୍ରଭାବିତ କରିବ । ତେଣୁ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁହାଁମୁହିଁ ହେବା ସମ୍ଭାବନା ହୋଇଛି । ତେବେ ଆସନ୍ତା ଅକ୍ଟୋବର ମାସରେ ଗେଟ୍ ନ ପକେଇବା ପାଇଁ ଓଡିଶା ସରକାର ଚିଠି ଲେଖିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଅନ୍ୟପଟେ ଓଡିଶାର ଏହି ଚିଠିକୁ ରମଣ ସିଂ ସରକାର ଗୁରୁତ୍ୱ ଦେବେ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।