ବିଧାନ ପରିଷଦ ପାଇଁ ଫିଟିଲା ବାଟ ! ସଂସଦରେ ଦାବି ଦୋହରାଇବ ବିଜେଡି । ନବୀନ ନିବାସରେ ସଂସଦୀୟ ଦଳର ବୈଠକ ପରେ ସାଂସଦ କହିଲେ, ସବୁ ଦଳର ଅଛି ସମର୍ଥନ ।

587

କନକ ବ୍ୟୁରୋ: ପୁଣି ଉଠିଲା ବିଧାନ ପରିଷଦ ଗଠନ ଦାବି । ସଂସଦୀୟ ଦଳ ବୈଠକ ପରେ ବିଧାନ ପରିଷଦ ଦାବି ଦୋହରାଇଲା ବିଜେଡି । ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସମସ୍ତ ଦଳର ସମର୍ଥନ ରହିଛି । ତେଣୁ ଏହି ଦାବି ସଂସଦରେ ବି ଉଠିବ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର । ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ପରେ ବିଧାନ ପରିଷଦ ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପିନାକୀ ମିଶ୍ର ।

ତେବେ ବୈଠକରେ ସିଏଏ ଓ ଏନଆରସି ପ୍ରସଙ୍ଗ ବି ଉଠା ଯାଇଛି । ସିଏଏକୁ ବିଜେଡି ସମର୍ଥନ କରିଥିବା ବେଳେ ଏନଆରସିକୁ ବିରୋଧ କରିଛି । କିନ୍ତୁ ଜାତିଭିତିକ ଜନଗଣନାରେ ପଛୁଆବର୍ଗ ଶ୍ରେଣୀକୁ ସାମିଲ କରିବାକୁ ଦାବି କରିଛି ବିଜେଡି । ଜିଏସଟି କ୍ଷତିଭରଣା ଦେବା କଥା ବି ଉଠାଇଛି ବିଜେଡି । ଏହାଛଡା ଆଗାମୀ ରେଳ ବଜେଟରେ ଓଡିଶାକୁ ଅଧିକ ଫୋକସ କରିବାକୁ ଆଶା ରଖିଛି ବିଜେଡି । ରେଳ ବଜେଟରେ ଓଡିଶାକୁ ଆଶାତିତ ଫଳ ମିଳୁ ନଥିବାରୁ ଏଥର ବଜେଟରେ ଓଡିଶାକୁ ନ୍ୟାୟ ମିଳିବ ବୋଲି ଆଶା ରଖାଯାଇଛି ବୋଲି ପିନାକୀ କହିଛନ୍ତି ।

ସେପଟେ ସଂସଦରେ ସବୁ ପ୍ରସଙ୍ଗ ଉଠାଇବ ବିଜେଡି । ଆଲୋଚନାରେ ଭାଗ ନେଇ ସବୁ ଦାବି ଜଣାଇବେ ସାଂସଦ । ବୈଠକରେ ସାଂସଦଙ୍କୁ ଏଭଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଂସଦରେ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ସଂସଦରେ ସାଂସଦମାନେ ଅଂଶଗ୍ରହଣ କରୁଛନ୍ତି କି ନାହିଁ ତା ଉପରେ ନଜର ରହିବ । ସାଂସଦ କେତେ ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି ତାହାକୁ ଟ୍ରାକିଂ କରାଯିବ । ୨ ମାସ ଭିତରେ ସାଂସଦଙ୍କୁ ପ୍ରଦର୍ଶନ ରିପୋର୍ଟ ଦେବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ପୂର୍ବରୁ ବିଧାନ ପରିଷଦ ନେଇ ବଡ କଥା କହିଥିଲେ ପିନାକୀ ମିଶ୍ର । ୧୫ ମିନିଟରେ ବିଧାନ ପରିଷଦ ଗଢା ହେବ କହି ଏଥର ବଜେଟ ଅଧିବେସନରେ ବିଧାନ ପରିଷଦ ପ୍ରସଙ୍ଗ ଉଠାଯିବ ବୋଲି ପୂର୍ବରୁ ସଂକେତ ଦେଇଥିଲେ ।