ବିଧାନ ପରିଷଦ ପାଇଁ ଫିଟୁଛି ବାଟ! ସଂସଦର ବଜେଟ ଅଧିବେଶନରେ ଆସିପାରେ ବିଲ୍, ବିଜେଡି ସଂସଦୀୟ ଦଳ ନେତା କହିଲେ ମାତ୍ର ୧୫ ମିନିଟର କାମ ।

565

କନକ ବ୍ୟୁରୋ : ବିଧାନ ପରିଷଦ ଗଠନ ନେଇ ଧୀରେ ଧୀରେ ବାଟ ଫିଟୁଛି । ଆସନ୍ତା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିଲ୍ ସଂସଦରେ ଉପସ୍ଥାପନ କରାଯାଇ ପାରିତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ କେନ୍ଦ୍ରରୁ ସଂକେତ ମିଳିଥିବା ନେଇ ସ୍ପଷ୍ଟ କରିଛନ୍ତି ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ର । ଏହି ବିଲ୍ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହାକୁ ନେଇ କୌଣସି ବିବାଦ ମଧ୍ୟ ନାହିଁ । ତେଣୁ ସଂସଦରେ ମାତ୍ର ୧୫ ମିନିଟ୍ ମଧ୍ୟରେ ଏହି ବିଲ୍ ପାରିତ ହୋଇଯିବ ବୋଲି କହିଛନ୍ତି ପିନାକୀ ।

କଣ ହେବ ବିଧାନ ପରିଷଦ ବିଲର ଭାଗ୍ୟ, କେନ୍ଦ୍ର ସରକାର ଏହି ବିଲ ଉପରେ ମାରିବେ କି ମୋହର । ଚଳିତ ବଜେଟ ଅଧିବେଶନରେ ଆସିବ କି ଏହି ବିଲ୍ । ଏ ଭଳି ଅନେକ ପ୍ରଶ୍ନ ଏବେ ବିଜେଡିର ତଳସ୍ତରଠାରୁ ଉପରସ୍ତର ନେତାଙ୍କ ମନକୁ ଆନ୍ଦୋଳିତ କରୁଛି ।ସଂସଦର ବିଗତ ଅଧିବେଶନରେ ବିଜେଡି ନେତା ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏହି ବିଧାନ ପରିଷଦ ବିଲ୍ ସଂକ୍ରାନ୍ତରେ ଆଲୋଚନା କରିଥିବା ବେଳେ ଏବେ ସୂଚନା ମିଳୁଛି ବଜେଟ୍ ଅଧିବେଶନରେ ବି ଅମିତ ଶାହାଙ୍କୁ ଭେଟି ପାରନ୍ତି ବିଜେଡି ପ୍ରତିନିଧି ଦଳ । ପ୍ରାୟ ଦେଢ଼ ବର୍ଷ ହେଲା ଓଡ଼ିଶା ବିଧାନ ପରିଷଦ ବିଲର ଭାଗ୍ୟ ଏବେ କେନ୍ଦ୍ର ହାତରେ ଝୁଲି ରହିଛି । ତେଣୁ ଏହି ବିଲ୍କୁ ଏକ ନିର୍ଣ୍ଣାୟକ ମୋଡ଼ରେ ପଂଚାଇବାକୁ ଉଦ୍ୟମ କରିପାରେ ବିଜୁ ଜନତା ଦଳ ।

ବିଜେଡିର ଏହି ତମାମ୍ କସରତ ଭିତରେ ଏବେ ଆଉ ଏକ ଚର୍ଚ୍ଚା ଜୋର ଧରିଛି । ବିଧାନ ପରିଷଦ ବିଲ୍ ପାସ୍ କରିବା ପାଇଁ ମୁଲଚାଲ କରିବ କି ବିଜେପି? ପୁଣି ଥରେ ଦୋହରାଇବ କି ଅଶ୍ମିନୀ ବୈଷ୍ଣବଙ୍କ ଫର୍ମୁଲା? ଆସନ୍ତା ଏପ୍ରିଲ୍ ମାସରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ପଡୁଥିବା ବେଳେ ସଂଖ୍ୟା ନଥାଇ ବି ଏଥିରେ ଭାଗ ବସାଇବ କି ବିଜେପି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ସଂସଦରେ ବିଧାନ ପରିଷଦ ବିଲ୍ ବଦଳରେ ଗୋଟିଏ କିମ୍ବା ୨ଟି ରାଜ୍ୟସଭା ଆସନ ଦାବି କରିପାରେ ଭାରତୀୟ ଜନତା ପାର୍ଟି ।
୨୦୧୯ ନିର୍ବାଚନ ପରେ ବିଜେପି ପ୍ରତି ଥିବା ବିଜେଡିର ଆଭିମୁଖ୍ୟ ଏବଂ ବିଜେଡି ପ୍ରତି ଥିବା ବିଜେପିର ଆଭିମୁଖ୍ୟରେ ଏକ ବିରାଟ ପରିବର୍ତନ ଆସିଛି । ତେଣୁ ଓଡ଼ିଶା ବିଧାନ ପରିଷଦ ବିଲ୍ ଏବଂ ରାଜ୍ୟସଭା ଆସନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଏକ ଫ୍ରେଣ୍ଡଲି ମ୍ୟାଚ୍ ଯେ, ନହେବ ଏକଥା କହିବା ମୁସ୍କିଲ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ସଂସଦରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି ବିଜେଡି । ତେଣୁ ବିଜେଡି ଏଥର ପ୍ରତିବଦଳରେ ଏହି ବିଲ୍ ଆଣିବାକୁ ଦାବି କରୁଛି । ଅନ୍ୟପଟେ ରାଜ୍ୟ ବିଜେପି କହିଛି ବିଧାନସଭା ଅଧାରୁ ବନ୍ଦ ହେଉଛି । ଆଉ ବିଧାନ ପରିଷଦ ହେଲେ ଅଧିକ କଣ ହେବ ।