ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ରାଜ୍ୟର ୨୩ ଜିଲ୍ଲା ସଭାପତି

27

କନକ ବ୍ୟୁରୋ : କଂଗ୍ରେସରେ ଜିଲ୍ଲା ସଭାପତିଙ୍କ ଦିଲ୍ଲୀ ଗସ୍ତ ଓ ନେତୃତ୍ୱ ପରିବର୍ତନ ଚର୍ଚ୍ଚା ଭିତରେ ଓଡିଶା ପ୍ରଭାରୀ ବିକେ ହରିପ୍ରସାଦ ଦିଲ୍ଲୀରେ ସ୍ପଷ୍ଟ କରିଛନ୍ତି, ଏଥର ପଂଚାୟତ ନିର୍ବାଚନର ନେତୃତ୍ୱ ନେବେ ପ୍ରସାଦ ହରିଚନ୍ଦନ । ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ରାଜ୍ୟର ୨୩ ଜିଲ୍ଲା ସଭାପତି । ରାହୁଲଙ୍କ ସହ ଆଲୋଚନା ପରେ ଓଡିଶା ପ୍ରଭାରୀ ବିକେ ହରିପ୍ରସାଦ ସୂଚନା ଦେଇଛନ୍ତି ଏଥର ପଂଚାୟତ ନିର୍ବାଚନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଲଢିବେ ।

ପ୍ରସାଦଙ୍କ ନେତୃତ୍ୱରେ ପଂଚାୟତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଭଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି । ତେବେ ଆଲୋଚନା ବେଳେ ଓଡିଶା ନେତାମାନେ ରାହୁଲଙ୍କୁ ମାଲକାନଗିରି ଗସ୍ତରେ ଆସିବାକୁୁ ଆମନ୍ତ୍ରଣ କରିଛନ୍ତି । ଗତକାଲିଠାରୁ ଏହି ନେତାମାନେ ରାହୁଲଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ । ତେବେ ରାହୁଲ ସମୟ ଦେଇ ପାରୁନଥିଲେ । ଗତ କିଛି ଦିନ ହେବ ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତନ ନେଇ ଆଲୋଚନା ଜୋର ଧରିଥିଲା । ସେପଟେ ଦଳର ଗୋଷ୍ଠୀ କନ୍ଦଳ ନେଇ ଦଳ ହାଇକମାଣ୍ଡ କୌଣସି ନିଷ୍ପତି ନେବେ ବୋଲି ସମସ୍ତ ଅପେକ୍ଷା କରିଥିଲେ ।