ଆନ୍ଦୋଳନରେ ଆଇନଜୀବୀ ଜେଲରେ ବିଚାରାଧିନ କଏଦୀ : ଅଧାରେ ଅଟକିଛି ବିଚାର, ଜୟପୁର ଜେଲରେ ବଢୁଛି କଏଦୀଙ୍କ ସଂଖ୍ୟା

35

କନକ ବ୍ୟୁରୋ : ଆନ୍ଦୋଳନରେ ଓକିଲ । ଜେଲରେ ବିଚାରାଧୀନ କଏଦୀ । ଆଉ ଜେଲ ବାହାରେ ଲାଗୁଛି କଏଦୀଙ୍କ ସଂପର୍କୀୟଙ୍କ ଭିଡ । ଜୟପୁର ଠାରୁ କଟକ ସବୁଠି ଓକିଲ ସଂଘର ଆନ୍ଦୋଳନ । ଆଇନର ବାଟ ଦେଖାଉଥିବା ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଜେଲରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଫଳରେ ଚିନ୍ତାରେ ପଡିଛନ୍ତି ଜୟପୁର ଜେଲ ଅଧିକାରୀ ।

ଜୟପୁରରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ସହ କଟକରେ ଓକିଲଙ୍କୁ ମାଡ଼ ଘଟଣାରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଆଉ ଏହାରି ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି ବିଚାରାଧିନ କଏଦୀ । ଜୟପୁର ଜେଲରେ ୧୫୩ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏବେ ସେଠାରେ ୩୩୮ ଜଣ ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ପୁରୁଷ କଏଦୀ ରହିଥିବା ବେଳେ ୨ଜଣ ମହିଳା କଏଦୀ ରହିଛନ୍ତି । ବାକି ୩୩୦ ଜଣ ବିଚାରଧିନ କଏଦୀ ଭାବେ ରହିଛନ୍ତି । ତେଣୁ ସେମାନଙ୍କୁ ଦେଖି କରିବା ପାଇଁ ପ୍ରତିଦିନ ସକାଳୁ ଜେଲ ଗେଟ୍ ପାଖରେ ସଂପର୍କୀୟଙ୍କ ଭିଡ ଲାଗୁଛି ।

ଚଳିତ ମାସ ୧୨ ତାରିଖ ଠାରୁ ଅଭିଯୁକ୍ତଙ୍କୁ ବିଚାର ପାଇଁ ଜେଲରୁ କୋର୍ଟକୁ ନିଆଯାଇନାହିଁ । ଫଳରେ ନ୍ୟାୟ ଅପେକ୍ଷାରେ ଥିବା ବିଚାରାଧିନ କଏଦୀ ଓ ସେମାନଙ୍କ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ଜେଲ ଫାଟକ କଣାରେ ନିଜ ଲୋକଙ୍କୁ ଭେଟିବାକୁ ସମ୍ପର୍କୀୟଙ୍କ ଭିଡ ଲାଗୁଛି । ସେପଟେ କଏଦୀଙ୍କ ସଂଖ୍ୟା ବଢିବାରୁ ଜେଲ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡିଛନ୍ତି ।

ଲୋକଙ୍କୁ ସୁବିଧାରେ ନ୍ୟାୟ ଦେବା ପାଇଁ ଜୟପୁରରେ ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବା ଜରୁରୀ । କିଛି ପାଇବାକୁ ହେଲେ କିଛି ସହିବାକୁ ହେବ ବୋଲି କହିଛନ୍ତି ଜୟପୁର ଓକିଲ ସଂଘ ସଭାପତି ।

କେବଳ ଜୟପୁର ଜେଲ ନୁହେଁ ରାଜ୍ୟର ଅନେକ ସ୍ଥାନରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସାମ୍ନାକୁ ଆସିଛି ।