ଶୁଣୁନି ପ୍ରଶାସନ, ତାତିଲେ ସାମ୍ବାଦିକ ! ସୋସିଆଲ ମିଡିଆରେ ସ୍ୱର ଶାଣିତ କଲେ କାର୍ଯ୍ୟରତ ସାମ୍ବାଦିକ

77

କନକ ବ୍ୟୁରୋ : ଯିଏ ଅନ୍ୟ ପାଇଁ ଲଢେଇ କରି ତାକୁ ନ୍ୟାୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ ପଛଘୁଞ୍ଚା ଦିଏ ନାହିଁ ଆଜି ସେ ନ୍ୟାୟ ପାଇବା ପାଇଁ ଲଢେଇ କରୁଛି । କିନ୍ତୁ ଗୋଟିଏ ଅବଶୋଷ ଏହି ଲଢେଇରେ ଏବେ ସେ ଏକା ପଡିଯାଇଛି । ଆମେ କହୁଛୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର କଥା ।

ଦରମା ମିଳୁନି ସାମ୍ବାଦିକଂକୁ ଡାକ, ରାସ୍ତାରେକ ହେଲା ସାମ୍ବାଦିକଂକୁ ଡାକ,ଘରେ ପାଣି ପଶିଲା ସାମ୍ବାଦିକଂକୁ ଡାକ, ଘରୁ ଚୋରୀ ହେଲା ସାମ୍ବାଦିକଂକୁ ଡାକ,ପୁଲିସ କେସ୍ କରୁନି ସାମ୍ବାଦିକଂକୁ ଡାକ, ହତ୍ୟା,ଲୁଟ୍,ରାହାଜାନି ସାମ୍ବାଦିକଂକୁ ଡାକ । ସୀମାରେ ସୈନିକ ଓ ସମାଜରେ ସାମ୍ବାଦିକଙ୍କ ମଧ୍ୟରେ ଗୋଟିଏ ସମାନତା । ଉଭୟ କେବେ ଶୁଅନ୍ତି ନାହିଁ । ସମାଜ ପ୍ରତି ଥିବା କତ୍ତବ୍ୟକୁ ଏହିମାନେ ପୂରଣ କରିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ଛିଡା ହେଉଥିବା ସାମ୍ବାଦିକ ମାନଙ୍କ ପଛରେ ଛିଡା ହେବାକୁ ସତେ ଯେମିତି କେହି ନାହାନ୍ତି ।

ଗତ କିଛି ଦିନ ମଧ୍ୟରେ ଯେଉଁଭଳି ଭାବେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଖୁଲମଖୁଲା ଆକ୍ରମଣ କରାଯାଉଛି ତାହା ସ୍ପଷ୍ଟ ଦର୍ଶାଉଛି ଯେ, ଓଡିଶାରେ ଅସୁରକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ପ୍ରଥମେ ବାଲେଶ୍ୱର, ପରେ ବାଳିଆପାଳ ଓ ଶେଷରେ ପୁରୀ । ଏହି ତିନୋଟି ସ୍ଥ୍ାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଯେଉଁଭଳି ଭାବେ ଆକ୍ରମଣ କରାଗଲା ତାହା ସ୍ପଷ୍ଟ ଦର୍ଶାଉଥିଲା ଯେ, ସତକୁ ସାମ୍ନାକୁ ଆଣିବାକୁ ହେଲେ ଏଠାରେ ଜୀବନକୁ ବାଜି ଲଗାଇବାକୁ ପଡିଥାଏ ।

ବାଲେଶ୍ୱରରେ ବିଧାୟକ ମାଡ ମାରିଲେ, ବାଳିଆପାଳରେ ସାମ୍ବାଦିକଙ୍କ ହାତକୁ ଖଣ୍ଡାରେ ହାଣିଲେ ଓ ପୁରୀରେ ସ୍ଥିତି ଥିଲା ସାଂଘାତିକ । ସାମ୍ବାଦିକଙ୍କୁ ଅପରାଧୀ ଭଳି ଗୋଡାଇ ଗୋଡାଇ ପିଟିଥିଲା ପୋଲିସ । ସାମ୍ବାଦିକଙ୍କର ଭୁଲ ଥିଲା ଗୋଟିଏ, ସେମାନେ ସତ ଆଣିବାକୁ ଚାହୁଁଥିଲେ । ଆଉ ଏହାର ମୂଲ୍ୟ ଯେ ମାଡ ଖାଇ ମୃତ୍ୟୁ ସହ ସଂର୍ଘଷ କରି ଦେବାକୁ ପଡିବ ସେକଥା ବୋଧହୁଏ ଭୁଲି ଯାଇଥିଲେ ସାମ୍ବାଦିକ ଭାଇ ମାନେ ।

ଏତେ ସବୁ ପରେ ମଧ୍ୟ ପ୍ରଶାସନ ଚୁପ୍ । ବାଲେଶ୍ୱର ଘଟଣାରେ ଆକ୍ରମଣକାରୀ ବିଧାୟକଙ୍କୁ ଏହି ମାମଲାରେ ଟାଣିବାକୁ ପୋଲିସର ସାହସ ପାଉନଥିବା ବେଳେ ପୁରୀରେ ନିଜେ ଆକ୍ରମଣକାରୀ ସାଜିଛି ପୋଲିସ । ଯେଉଁଠି ପ୍ରଶାସନ ନିଦାବିଷ୍ଣୁ ପାଲଟିଛି ସେଠି ସାମ୍ବାଦିକଙ୍କ କଥା ଶୁଣିବ କିଏ? କିନ୍ତୁ ସାମ୍ବାଦିକଙ୍କ ସ୍ୱରକୁ ଚାପିବାକୁ ଯେଉଁ ଉଦ୍ୟମ କରାଯାଉଛି ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମ୍ବାଦିକ ସଂଘ । ଏପରିକି ଏହି ଆକ୍ରମଣକୁ ନିନ୍ଦା କରିବା ସହ କଳାବ୍ୟାଚ ପିନ୍ଧି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାମ୍ବାଦିକ ସଂଘ । ଖାସକରି ସୋସିଆଲ ମିଡିଆରେ ସାମ୍ବାଦିକ ଆକ୍ରମଣକୁ ଜୋରଦାର ନିନ୍ଦା କରାଯାଉଛି । ନିଦାବିଷ୍ଣୁ ସାଜିଥିବା ପ୍ରଶାସନର ନିଦ ଭାଙ୍ଗିବାକୁ ସୋସିଆଲ ମିଡିଆରେ ସ୍ୱର ଶାଣିତ କରିଛନ୍ତି ସାମ୍ବାଦିକ ଭାଇ । ଏପରିକି ଏହି ଲଢେଇରେ ସାମିଲ ହେବାକୁ ସମସ୍ତ ସ୍ୱେଚ୍ଛାସେବୀ ସଙ୍ଗଠନ, ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦିଆଯାଇଛି । ଯାହାକୁ ବେଶ ସମର୍ଥନ ମଧ୍ୟ ମିଳୁଛି ।

ସାମ୍ବାଦିକ ଆକ୍ରମଣକୁ ବିରୋଧ କରିବାକୁ ଯାଇ ଆଶିଷ ରଥ ଲେଖିଛନ୍ତି, ବାରମ୍ବାର ସୀମା ଉଲଂଘନ କଲେ କଣ ହୁଏ ସରଜିକାଲ ଷ୍ଟ୍ରାଇକରୁ ପାକିସ୍ତାନ ଭଲ ଭାବରେ ଜାଣିଛି। ଆଉ ସମସ୍ତେ ବି ଜାଣିବା ଦରକାର ଯେବେ ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସରଜିକାଲ ଷ୍ଟ୍ରାଇକ ଆରମ୍ଭ କରିବ ତାହା ସମ୍ଭାଳି ପାରିବେତ!

ସେହିଭଳି ଯୁବ ସାମ୍ବାଦିକ ରାମକୃଷ୍ଣ ବାରିକ ନିଜର ପ୍ରତିବାଦ ସ୍ୱରୂପ ଲେଖିଛନ୍ତି, ସାମ୍ବାଦିକତା ପଢିବା ପାଇଁ ମାଆ ଠାକୁରଙ୍କ ପାଖେ ମାନସିକ କରିଥିଲା। ସାମ୍ବାଦିକ ହେବା ପରେ ବାପାମା ଭାରି ଖୁସି ଥିଲେ। ବାପା କୁହନ୍ତି ସୀମାରେ ସୈନିକ, ସମାଜରେ ସାମ୍ବାଦିକ ଏକା ପରି । ସେଇଥିପାଇଁ ବାପା ଗାଁରେ ଗର୍ବରେ ଚାଲନ୍ତି କାରଣ ତାଙ୍କ ପୁଅ ସାମ୍ବାଦିକ । ସାମ୍ବାଦିକଙ୍କୁ ମାଡ଼ କଥା ଶୁଣି ବାପା ଫୋନ୍ କରିଥିଲେ ପଚାରୁଥିଲେ ଓକିଲଙ୍କ ପରି ତମେ କେବେ ପ୍ରତିବାଦ କରୁଛ । ନଶୁଭିବାର ବାହାନା କରି ମୁଁ ହ୍ୟାଲୋ…ହ୍ୟାଲୋ କହି ଫୋନ କାଟିଦେଲି…!! ଆଉ ରାମକୃଷ୍ଣଙ୍କ ଏହି ପ୍ରତିବାଦ ହିଁ ଦର୍ଶାଉଥିଲା ଯେ, ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ କିଭଳି ନିଦାବିଷ୍ଣୁ ପାଲଟିଯାଉଛି ପୂରା ସମାଜ ।

ସେହିଭଳି ଅନ୍ୟଜଣେ ଯୁବ ସାମ୍ବାଦିକ ପ୍ରତ୍ୟୁଷ କୁମାର ସା ନିଜର ପ୍ରତିବାଦ ବ୍ୟଙ୍ଗାତ୍ମକ ଢଙ୍ଗରେ ଜଣାଇଛନ୍ତି, ‘ଖବରକାଗଜ ଆସିନି। ଟିଭି ପ୍ରସାରଣ ବନ୍ଦ ରହିଛି। ସାମ୍ବାଦିକ ସବୁ ଧାରଣାରେ ବସିଛନ୍ତି। ଇନ୍ କଲାବ୍ ନାରା ଶୁଭୁଛି। ହଠାତ୍ କିଏ ଜଣେ କହିଲେ-ନିଦରେ କାହିଁ ବିଳିବିଲେଇ ହଉଛ? ଆଖି ଖୋଲି ଦେଖିଲି, କଡ଼ରେ ଘରଣୀ। ନିତ୍ୟକର୍ମ ସାରି ଅଫିସ ପାଇଁ ପ୍ରସ୍ତୁତ ହେଲି। ଭାବି ନେଲି-ଆମର ଇଚ୍ଛା ଓ ଆକାଂକ୍ଷା ସ୍ବପ୍ନରେ ହିଁ ସୀମିତ।‘ ସାମ୍ବାଦିକଙ୍କକ ସମର୍ଥନ ପାଇଁ ସତେ ଯେମିତି ଲୋକମାନଙ୍କର ତୁଣ୍ଡରେ ତାଲା ପଡିଛି ।

ସେହିଭଳି ବରିଷ୍ଠ ସାମ୍ବାଦିକ ରାମଚଣ୍ଡୀ ପ୍ରସାଦ ରଣସିଂହ କହିଛନ୍ତି, ମହାରାଷ୍ଟ୍ର ଭଳି ଓଡିଶାରେ ସାମ୍ବାଦିକ ସୁରକ୍ଷା ନୀତି ପ୍ରଣୟନ ହେଉ । ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ଆବଶ୍ୟକ । ଆମେ ମାନେ ଏକ ନହେଲେ ପରିସ୍ଥିତି କଣ ହେବ କହିବା ମୁସ୍କିଲ ।

ସେହିଭଳି ଯୁବ ସାମ୍ବାଦିକ କିଶାନ ବରାଇ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କରିବାକୁ ଶବ୍ଦ ମଧ୍ୟ ଆଉ ବଞ୍ଚିନାହିଁ । ତେଣୁ ଆଉ କାହାର ପାଳି ପଡ଼ିବା ପୂର୍ବରୁ ଏ ଏପିସୋଡକୁ ବନ୍ଦ କରନ୍ତୁ । ଆଉ ଏହି ଲଢେଇରେ ସମସ୍ତେ ଏକାଠି ହୁଅନ୍ତୁ ।

ସତକୁ ଲୁଚାଇବାକୁ ସାମ୍ବାଦିକ ମାନଙ୍କୁ ଯେଉଁଭଳି ଆକ୍ରମଣ କରାଯାଉଛି ତାହା ସଫଳ ହେବ ନାହିଁ । ବରଂ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସର୍ବଦା ଏହି କଲମ ଚାଲିବ ଯାହା ଆକ୍ରମଣକାରୀଙ୍କ ଖଣ୍ଡା ଠାରୁ ମଧ୍ୟ ଆହୁରି ଭୟଙ୍କର । ତେଣୁ ସାମ୍ବାଦିକଙ୍କୁ ଆକ୍ରମଣ କରିବା ପୂର୍ବରୁ ଏଣିକି ହଜାରେ ଥର ଭାବିନିଅନ୍ତୁ । ଏସବୁ ଭିତରେ କିଛି ସଚେତନ ନାଗରିକ ଏବେ ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କରିବା ସହ ଏଥିପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି ।