ବର୍ଷାରେ ବେହାଲ୍ ଜଟଣୀ ! ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ନ ହେବାରୁ ବର୍ଷାଦିନେ ହନ୍ତସନ୍ତ ହେଉଛନ୍ତି ଜଟଣୀବାସୀ । 

75

କନକ ବ୍ୟୁରୋ : ଓଡିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିିରହିଛି । ପାଣିଘେରରେ ଉବୁଟୁବୁ ହେଉଛନ୍ତି ଓଡିଶାବାସୀ । କେଉଁଠି ମୁଖ୍ୟ ଗମନାଗମନ ପଥ ଜଳପୂର୍ଣ୍ଣ ହୋଇଥିବା ବେଳେ ଆଉ କେଉଁଠି କାହା ଘରେ ଆଣ୍ଠୁଏ ପାଣି ରହିଛି । ତେବେ ଏଭଳି ସ୍ଥିତିରେ ପ୍ରବଳ ବର୍ଷା ଜାଲରେ ଫସିରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିବାସୀ ।

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀରେ ଏହି ସମସ୍ୟା ବହୁ ବର୍ଷରୁ ଲାଗିରହିଛି । ଅସରାଏ ବର୍ଷା ହେଲେ ଏଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡେ । ମୁନିସିପାଲଟି ଅନ୍ତର୍ଗତ ଥିବା ଜଟଣୀ ଅଞ୍ଚଳର ମୁଖ୍ୟ ରାସ୍ତାର ଏପରି ଅବସ୍ଥା ୧୪ ରୁ ୧୫ ବର୍ଷ ଧରି ଲାଗିରହିଛି । ଏହି ମୁଖ୍ୟ ରାସ୍ତା ଦେଇ ପିଲାମାନେ ସ୍କୁଲକୁ ଯାଆନ୍ତି,ରୋଗୀଙ୍କୁ ଡାକ୍ତରଖାନା ବୁହାହୁଏ,କର୍ମଚାରୀ କର୍ମକ୍ଷେତ୍ରକୁ ଯାଆନ୍ତି ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ହୋଇଥାଏ । କିନ୍ତୁ ସରକାରଙ୍କ ଅବହେଳା କ୍ରମେ ଉକ୍ତ ସ୍ଥାନଟି ବର୍ଷାଦିନେ ସମ୍ପୁର୍ଣ୍ଣ ରୂପେ ପୋଖରୀ ପାଲଟିଯାଏ । ଜଟଣୀ ନିବାସୀ ଏନେଇ ସରକାରଙ୍କୁ ବହୁବାର ଦରଖାସ୍ତ ଲେଖିବାଠୁ ଆରମ୍ଭ କରି ସାକ୍ଷାତ,ଧର୍ମଘଟ ସବୁ ଉଦ୍ୟମ ଯାହା ସେମାନଙ୍କୁ ଏହି ଅସୁବିଧାରୁ ଦୂରେଇ ପାରିବ ତାହା କରିସାରିଲେଣି । କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପଦକ୍ଷେପ ନିଆ ଯାଇପାରିନାହିଁ ।

ଉକ୍ତ ସ୍ଥାନରେ ଏଭଳି ସମସ୍ୟା ଉପୁଜିଛି ଯେ ବଡ ବଡ ବସ୍ ଏବଂ ଟ୍ରକ୍ ମଧ୍ୟ ବର୍ଷା ପାଣିରୁ ତ୍ରାହି ନ ପାଇ ଦିନ ଦିନ ଫସି ରହୁଛନ୍ତି । ଓଭରବ୍ରିଜରେ ମଣିଷେ ପାଣି ଜମା ରହୁଥିବାରୁ ଲୋକମାନଙ୍କ ଯାତାୟତ କ୍ଷେତ୍ରରେ ବଡ ସମସ୍ୟା ଉପୁଜେ ।