ଆଜି ନୂଆଁଖାଇ, ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା ! ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

64

କନକ ବ୍ୟୁରୋ: ଆଜି ନୂଆଁଖାଇ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ପ୍ରସ୍ତୁତି ଶେଷ ହୋଇଛି । ସକାଳ ୯ଟା ୦୫ରୁ ୯ଟା ୧୫ ମଧ୍ୟରେ ନବାନ୍ନ ଲାଗି ହେବ । ନିଆରା ପରମ୍ପରା, ସଂସ୍କୃତି ଓ ଭାଇଚାରାର ପର୍ବ ହେଉଛି ନୂଆଁଖାଇ, ପଶ୍ଚିମ ଓଡିଶାର ଏହି ପର୍ବକୁ ଲୋକେ ଜଗିରହିଥାନ୍ତି । କାରଣ ଦୂରଦୂରାନ୍ତରରେ ଥିବା ଲୋକମାନେ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଫେରିଥାନ୍ତି । ଆଉ ଘରେ ଜମିଥାଏ ଉତ୍ସବର ମାହୋଲ । ବର୍ଷଟିଏର ପର୍ବ ପାଳନ ନେଇ ଲୋକଙ୍କ ମଧ୍ୟ ଉତ୍ସାହ ସ୍ପଷ୍ଟ ବାରି ହୋଇପଡୁଛି । ଆଉ ହସଖୁସିରେ ମିଳିମିଶି ନୂଆଁ ଅନ୍ନ ଗ୍ରହଣ କରିବେ ଲୋକେ ।

ତେବେ ଲଗ୍ନ ଧାର୍ଯ୍ୟ ହେବା ପରଠୁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡ଼ିଶା । ବିଶ୍ୱାସ ରହିଛି, ନୂଆଖାଇରେ ଘରକୁ ଇଷ୍ଟଦେବୀ ମା ଅର୍ଣ୍ଣପୂର୍ଣା ଆସିଥାନ୍ତି, ତେଣୁ ତାଙ୍କ ସ୍ୱାଗତ ପାଇଁ ଏ ସବୁ ପ୍ରସ୍ତୁତି । କୁରେଇ ପତ୍ରରେ ନିର୍ମିତ ଦନାରେ ଧାର୍ୟ୍ୟ ସମୟରେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅନ୍ୟ ସଦସ୍ୟଙ୍କୁ ନୂଆଖାଇବାକୁ ଦେଇଥାନ୍ତି । ତା’ପରେ ରନ୍ଧା ଯାଇଥିବା ବିଭିନ୍ନ ଖାଦ୍ୟକୁ କୁରେଇ, ରେଙ୍ଗାଳ ଖଲିରେ ଖାଇଥାନ୍ତି ସମସ୍ତେ ।

ନୂଆଁଖାଇ ପାଇଁ ଚଳଚଂଚଳ ହୋଇପଡିଛି ସମ୍ବଲପୁର । ଏଥିପାଇଁ ମା’ ସମଲେଶ୍ୱରୀଙ୍କ ମନ୍ଦୁରକୁ ଦିଆଯାଇଛି ନୂଆରୂପ । ମା’ ନୂଆ ଖାଇବା ଆଗରୁ ମନ୍ଦିରରେ ସରିଛି ସମସ୍ତ ପ୍ରସ୍ତୁତି । ମନ୍ଦିରରେ ପରିସରକୁ ବି କରାଯାଇଛି ସଫାସୁତରା । ଏଥିସହିତ ରଙ୍ଗବେରଙ୍ଗରେ ମା’ଙ୍କ ମନ୍ଦିରକୁ କରାଯାଇଛି ଚିତ୍ରବିଚିତ୍ର । କେବଳ ସମଲେଶ୍ୱରୀ ମନ୍ଦିର ନୁହେଁ ସମ୍ବଲପୁରରେ ଥିବା ବିଭିନ୍ନ ମନ୍ଦିରରେ ମଧ୍ୟ ଏଭଳି ପ୍ରସ୍ତୁତି କରାଯାଇଛି ।

ସେହିପରି କଳାହାଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି ନୂଆଁଖାଇର ଧୂମ୍ । ଗ୍ରାମଦେବତୀଙ୍କ ପାଖରେ ନବାନ୍ନ ଲାଗି କରିବା ପରେ ନୂଆ ଖାଇବା ପାଇଁ ସରିଛି ପ୍ରସ୍ତୁତି । ନୂଆଖାଇବା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖା ଯାଇଥାଏ, ସଭିଏ ଏକା ସାଙ୍ଗରେ ବସି କି ଏକାଠି ଖାଇଥାନ୍ତି । ପୁଣି ନୂଆଁ ଖାଇ ସାରିବା ପରେ ବଡମାନଙ୍କୁ ନୂଆଖାଇ ଜୁଆର ପରମ୍ପରା ସତରେ ନିଆରା । ଯେଉଁ ପରମ୍ପରାକୁ ପଶ୍ଚିମ ଓଡିଶାରେ ନୂଆଁଖାଇ ଭେଟଘାଟ କୁହାଯାଏ ।