ପାଣ୍ଡିଆନଙ୍କ ଘରେ ଆକ୍ରମଣ କରିବା ପଡିବ ମହଙ୍ଗା ! ମୁଖ୍ୟମନ୍ତ୍ରୀ କହିଲେ, ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ

49

କନକ ବ୍ୟୁରୋ : ଅଫିସରଙ୍କୁ ନେଇ ଓଡିଶା ରାଜନୀତିରେ ହଟଚମଟ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟ ପାଣ୍ଡିଆନ୍ଙ୍କ ଘରେ ଆକ୍ରମଣ ପରେ ଆଜି ରାଜ୍ୟର ପ୍ରାୟ ସବୁ ଅମଲା ଓ କର୍ମଚାରୀ ସଂଘ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି । ପ୍ରାୟ ୨୦ଟି ସଂଘର ୫ଶହରୁ ଅଧିକ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସଚିବାଳୟ ତୃତୀୟ ମହଲା ଅଭିମୁଖେ ସାରା ରାଜ୍ୟର ଅଫିସର । ଆଇଏଏସ ଏବଂ ଓଏଏସ ସଂଘ ସହ ଅଣ ଗେଜେଟେଡ କର୍ମଚାରୀ ସଂଘ ବି ଏକାଠି ହୋଇ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ । ଗତ ଶନିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ଘରେ ଯେଉଁଭଳି ଆକ୍ରମଣ ହେଲା ତାହାର ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି ପ୍ରାୟ ୨୦ରୁ ଅଧିକ ଅମଲା ସଂଘ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ ସେଦିଗରେ ପଦକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।

ଗତ ଶନିବାର ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ କରିଥିଲେ ଯୁବ ବିଜେପି କର୍ମୀ । ଘର ଉପରକୁ ଗୋବର ଓ ପଥର ମାଡ କରିବା ସହ ଫୁଲ କୁଣ୍ଡ ଫୋପାଡି ଥିଲେ । ପ୍ରଥମଥର ଲାଗି ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀ ଏଭଳି ରାଜନୈତିକ ଦଳ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନବୀନ ।

Pandiyan 1ଅନ୍ୟପଟେ ଆଇଏଏସ, ଓଏଏସ ଓ ଅନ୍ୟାନ୍ୟ ଅମଲା ସଂଘର ଏଭଳି ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟରତ ସରକାରୀ ଅଫିସର ଆକ୍ରମଣର ଶିକାର ହେଉଥିବାବେଳେ ଅମଲା ସଂଘ କାହିଁକି ଚୁପ ରହିଥିଲେ ବୋଲି ଦଳ କହିଛି ।
ତେବେ ଏହି ପୁରା ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ ସାଂସଦ ବୈଜୟନ୍ତ ପଣ୍ଡା । କାରଣ ବିଜେଡିରେ ଥାଇ ବାରମ୍ବାର ପାଣ୍ଡିଆନଙ୍କୁ ଟାର୍ଗେଟ କରିଆସୁଥିଲେ ବୈଜୟନ୍ତ ।

ଗତ ୧୦ ତାରିଖରେ ରାଜଧାନୀ ଭୁବନେଶ୍ୱରର ଏହି ଘଟଣା ତିନିଦିନ ହେଲାଣି ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି । କାରଣ ଜଣେ ସରକାରୀ ଅଧିକାରୀ ରାଜନୈତିକ ଦଳର ଆକ୍ରୋଶର ଶିକାର ହେବା ଯେମିତି ପ୍ରଥମ, ଆକ୍ରମଣ ପରେ ସାରା ରାଜ୍ୟର ଅମଲା ସଂଘ ସମର୍ଥନରେ ବାହାରି ଆସିବା ମଧ୍ୟ ପ୍ରଥମଥର ଲାଗି ଦେଖିବାକୁ ମିଳୁଛି ।