୨୭ରେ ବସିବ ଐତିହ୍ୟ କ୍ୟାବିନେଟ୍ ! ଉପସ୍ଥିତ ହେବେ ୭ ମନ୍ତ୍ରୀ, ୬ଟି ମୁଖ୍ୟ ଆଜେଣ୍ଡା ଉପରେ ହେବ ଆଲୋଚନା । 

41

ଐତିହ୍ୟ କ୍ୟାବିନେଟ୍ ପ୍ରଥମ ବୈଠକ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଐତିହ୍ୟ କ୍ୟାବିନେଟର ସଦସ୍ୟ ଥିବା ୭ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନେ ହେଲେ ଅର୍ଥ ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ୟ୍ୟଟନ ମନ୍ତ୍ରୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ।

ବୈଠକରେ ୬ଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ସଂସ୍କୃତି ବିଭାଗର ୫ଟି ଏଜେଣ୍ଡା ଥିଲା ବେଳେ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଏଜେଣ୍ଡା ରହିଛି । ରାଜ୍ୟରେ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଏକ ପ୍ରସ୍ତାବକୁ କ୍ୟାବିନେଟ୍ ସ୍ୱୀକୃତି ମିଳିବାର ସମ୍ଭାବନା ରହିଛି । ଭାଷା କମିସନର ରୂପରେଖ କିପରି ହେବ, ସେ ନେଇ ଏକ ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହେବ । ବର୍ତ୍ତମାନ ସଂସ୍କୃତି ନିର୍ଦ୍ଦେଶକ ପବ୍ଲିକ୍ ଲାଇବ୍ରେରି ଦାୟିତ୍ୱ ତୁଲାଉଛନ୍ତି । ଯେହେତୁ ସଂସ୍କୃତି ନିର୍ଦ୍ଦେଶକଙ୍କ ପାଖରେ ବହୁ ଦାୟିତ୍ୱ ରହୁଛି, ତେଣୁ ପବ୍ଲିକ୍ ଲାଇବ୍ରେରି ନିର୍ଦ୍ଦେଶକ ଭାବେ ଏକ ସ୍ୱତନ୍ତ୍ର ପଦବି ସୃଷ୍ଟି କରିବାକୁ ସଂସ୍କୃତି ବିଭାଗ ଯୋଜନା କରିଛି । ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିପାରେ । ସେହିପରି ପ୍ରତ୍ୟେକ ଜିଲ୍ଲାରେ ଏକ ଲୋକକଳା ଗ୍ରାମ କରାଯିବା ନେଇ ମଧ୍ୟ ପ୍ରସ୍ତାବ ଆସିବ। କ୍ୟାବିନେଟରେ ପାରିତ ହେବାକୁ ଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଥାନ ନିରୂପଣ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସ୍ତାବଟି ଆସିବାର ସମ୍ଭାବନା ରହିଛି ।