ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କର ସସପେଣ୍ଡ । ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧରେ ଏବଂ ହାଇକୋର୍ଟରେ ଅଚଳାବସ୍ଥା ନେଇ ଭୁଲ ତଥ୍ୟ ଦେଇଥିଲେ ଶିବଶଙ୍କର

ହାଇକୋର୍ଟ ବାର ଆସୋସିଏସନ ଆକ୍ସନ କମିଟିର ନିଷ୍ପତି; ସେପଟେ ଆଇନଜୀବୀଙ୍କ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ, ୨ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

474

କନକ ବ୍ୟୁରୋ: ଆଇନଜୀବୀଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ କଠୋର ହେବା ପରେ ବସିଥିବା ହାଇକୋର୍ଟ ବାର ଆସୋସିଏସନ ବୈଠକ ଶେଷ ହୋଇଛି । ବୈଠକରେ ଆଇନଜୀବୀ ଶିବଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କରଙ୍କୁ ସସପେଣ୍ଡ କରାଯାଇଛି । ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧରେ ଏବଂ ହାଇକୋର୍ଟରେ ଅଚଳାବସ୍ଥା ନେଇ ଭୁଲ ତଥ୍ୟ ଦେଇଥିଲେ ଶିବଶଙ୍କର । ତେଣୁ ତାଙ୍କ ବିରୋଧରେ ଏପରି ନିଷ୍ପତି ନେଇଛି ହାଇକୋର୍ଟ ଆସୋସିଏସନ ଆକ୍ସନ କମିଟି ।

ସେପଟେ, ଆଇନଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ଅଚଳାବସ୍ଥା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ସର୍ବୋଚ ନ୍ୟାୟଳୟ ପ୍ରଶ୍ନ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏନେଇ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ୍ କରିବାର ସୂଚନା ରହିଛି ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏସ କେ କଉଲ ଓ ଜଷ୍ଟିସ୍ କେ.ଏମ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ କାର୍ଯ୍ୟ ଅଚଳ ହୋଇପଡ଼ିଥିବା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଖଣ୍ଡପୀଠ ଜାଣିବାକୁ ଚାହଁଥିଲେ । ଯଦି ସ୍ଥାନୀୟ ପୁଲିସ୍ କୋର୍ଟ ଖୋଲିବାରେ ଓ କାର୍ଯ୍ୟ ପରିଚାଳନା କରିବାରେ ସହାୟତା ଯୋଗାଇବାରେ ସକ୍ଷମ ହେଉନାହାନ୍ତି, ତେବେ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି ।