ବଜେଟ୍ ପୂର୍ବରୁ ବଢୁଛି ଓଡ଼ିଶାର ଆଶା । ରେଳବାଇ, ଜିଏସଟି ଭରଣା ଏବଂ କ୍ଲିନ୍ ଏନର୍ଜି ସେସ୍ ଉପରେ ଓଡ଼ିଶାର ନଜର, ନୂଆ ଯୋଜନା ସହ ଅଧିକ ଅର୍ଥ ଦାବି କଲେ ରାଜ୍ୟ ସରକାର ।

153

କନକ ବ୍ୟୁରୋ : ସାଧାରଣ ବଜେଟ୍ ଉପରେ ଅନେକ ଆଶା ରଖିଛି ଓଡିଶା । ରେଳବାଇର ଆୟ ତୁଳନାରେ ଅନୁଦାନ, ଜିଏସଟି ଭରଣା ପାଇଁ କ୍ଷତିପୂରଣ, କ୍ଲିନ୍ ଏନର୍ଜି ସେସ୍, କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅର୍ଥରେ ଅଭିବୃଦ୍ଧି ଏବଂ ନୂଆ ଯୋଜନାରେ ଟଙ୍କା ଭଳି ପ୍ରମୁଖ ଦାବି ରହିଛି । ଆଉ ଏସବୁ ଏଥରର ବଜେଟରେ ପୂରଣ ହେବ ବୋଲି ଓଡିଶା ଆଶା କରିଛି ।

ଆଶା ପୂରଣ କରିବ କି କେନ୍ଦ୍ର ବଜେଟ୍ ? ଦାବି ଅନୁସାରେ ଓଡ଼ିଶାକୁ ମିଳିବ କି ଅର୍ଥ ? ସ୍ୱାଭାବିକ ଭାବେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି, ଯେତେବେଳେ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଦେଶର ଆୟବ୍ୟୟର ହିସାବ ଭିତରେ ଓଡ଼ିଶା କରୁଥିବା ଦାବି ପୂରଣ କରିବେ ନା ନାହିଁ, ତାହା ସ୍ପଷ୍ଟ ହୋଇଯିବ ଯେତେବେଳେ ଅର୍ଥମନ୍ତ୍ରୀଙ୍କ ସୁଟକେସ୍ ଖୋଲିବ । ତେବେ ଓଡ଼ିଶାର ପ୍ରମୁଖ ଦାବି ଭିତରେ ରହିଛି, ଓଡ଼ିଶା ରେଲୱେର ଆୟ ତୁଳନାରେ ଅନୁଦାନ, ଜିଏସଟି ଭରଣା ପାଇଁ କ୍ଷତିପୂରଣ, କ୍ଲିନ୍ ଏନର୍ଜି ସେସ୍, କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅର୍ଥରେ ଅଭିବୃଦ୍ଧି ଏବଂ ନୂଆ ଯୋଜନାରେ ଟଙ୍କା ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ଅନୁଦାନ, ରାଜ୍ୟର ଅର୍ଥନୀତି ପରିଚାଳନାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ ଏଥର ଦାବି ଅନୁସାରେ ଅର୍ଥ ପାଇଁ ଆଶାୟୀ ଅଛି ଓଡ଼ିଶା । ତେବେ ଦେଶର ଅଭିବୃଦ୍ଧି ହାର, ମୁଦ୍ରାସ୍ପୀତି, ଆୟବ୍ୟୟରେ ତାରତମ୍ୟ ଯୋଗୁଁ ଖର୍ଚ୍ଚକାଟ ନୀତି ଏବଂ କିଛି ଯୋଜନାକୁ ବନ୍ଦ କରିବା ନିଷ୍ପତି ଓଡ଼ିଶା ଭଳି ରାଜ୍ୟ ପାଇଁ ଏକ ବଡ଼ ଆଶଙ୍କା ସୃଷ୍ଟି କରିଛି ।

ଏସବୁ ଭିତରେ ରାଜ୍ୟ ସରକାରଙ୍କ ଅର୍ଥ ସଚିବ ଦେଇଥିବା ସୂଚନା ଅନୁସାରେ, ଜିଏସଟି ବାବଦରେ ୧୩୪୫ କୋଟି ଟଙ୍କା ବକେୟା ରହିଛି । ଜାନୁୟାରୀ ସୁଦ୍ଧା ଏହା ଅଢ଼େଇ ହଜାର କୋଟି ଟପିଯିବ । ରେଳବାଇ କ୍ଷେତ୍ରରେ ପ୍ରାୟ ୬ ହଜାର କୋଟି ଟଙ୍କାର ଅନୁଦାନ ଆବଶ୍ୟକ କରୁଛି ଓଡ଼ିଶା । କେନ୍ଦ୍ର ସରକାର ହର୍ ଘର ଜଲ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି କିନ୍ତୁ ଓଡ଼ିଶାରେ ୩ବର୍ଷ ହେଲା ବସୁଧା ଯୋଜନା ଚାଲିଛି । ଉଭୟ ଯୋଜନାରେ କିଭଳି ସମନ୍ୱୟ ରହିବ ତା’ ଉପରେ ମଧ୍ୟ ରାଜ୍ୟ ସରକାର ନଜର ରଖିଛନ୍ତି ।