ଓଡିଶାରେ ବନ୍ଧୁକ ଲାଇସେନ୍ସର ରିପୋର୍ଟ ପ୍ରଦାନ କଲେ ଗୃହ ମନ୍ତ୍ରାଳୟ

31

କନକ ବ୍ୟୁରୋ : ଆମେରିକାରେ ଗଣହତ୍ୟା ଘଟଣା ଘଟିବା ପରେ ନିଜସ୍ୱ ସୁରକ୍ଷା ପାଇଁ କେତେ ଲୋକ ବନ୍ଧୁକ ଲାଇସେନ୍ସ ନେଇଛନ୍ତି ତାହାର ରିପୋର୍ଟ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ୨୦୧୬, ଡିସେମ୍ବର ୩୧ ସୁଦ୍ଧା ଆସିଥିବା ଏହି ରିପୋର୍ଟରେ ଓଡିଶାର ସ୍ଥାନ ବାର ନମ୍ବରରେ ରହିଛି । ଓଡିଶାରେ ୨୦ ହଜାର ୫୮୮ ଜଣଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଛି । ଏହି ରିପୋର୍ଟ ଆସିବା ପରେ ଆଗକୁ କିଭଳି ଏହି ସଂଖ୍ୟା ନବଢିବ ଓ ଲାଇସେନ୍ସ ନେବାର ନିୟମକୁ କିଭଳି କଡାକଡି କରାଯିବ ସେ ନେଇ ତତ୍ପରତା ପ୍ରକାଶ କଲାଣି କମିଶନରେଟ୍ ପୋଲିସ୍ ।

ଏପଟେ ବନ୍ଧୁକ ଲାଇସେନ୍ସ ନେବାରେ ଆତଙ୍କବାଦ ପ୍ରଭାବିତ ଜମ୍ମୁ କାଶ୍ମୀରଠୁ ଟପିଯାଇଛି ଉତ୍ତର ପ୍ରଦେଶ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଇଥିବା ରିପୋର୍ଟରେ ଦେଶରେ ୩୩ ଲକ୍ଷ ୬୯ ହଜାର ଲୋକ ବନ୍ଧୁକ ପାଇଁ ଲାଇସେନ୍ସ ନେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉତ୍ତର ପ୍ରଦେଶ ଦେଶର ସବୁଠୁ ଆଗରେ ରହିଛି । ୟୁପିରେ ୧୨ଲକ୍ଷ ୭୭ ହଜାର ୯୧୪ ଜଣ ବନ୍ଧୁକ ପାଇଁ ଲାଇସେନ୍ସ ନେଇଛନ୍ତି । ନିଜ ସୁରକ୍ଷା ପାଇଁ ସମସ୍ତେ ଲାଇସେନ୍ସ ଆବେଦନ କରିଥିବା ଜଣାପଡିଛି । ତା ପଛକୁ ରହିଛି ଜମ୍ମୁ କାଶ୍ମୀର । ଏଠାରେ ୩ ଲକ୍ଷ ୬୯ ହଜାର ଲାଇସେନ୍ସପ୍ରାପ୍ତ ବନ୍ଧୁକ ରହିଛି । କେନ୍ଦ୍ର ସରକାର ଜାରି କରିଥିବା ତାଲିକାର ଶେଷରେ ରହିଛି କେନ୍ଦ୍ରଶାସିତ ଅଂଚଳ ଡାମନ ଡିଉ ଏବଂ ଦାଦରା ନଗର ହାଭେଳି । ଏହି ଦୁଇ ୟୁନିଅନ୍ ଟେରିଟୋରିରେ ୧୨୫ ଜଣ ଲେଖାଏଁ ଲାଇସେନ୍ସ ବନ୍ଧୁକ ରଖିଛନ୍ତି ।