ଏଣିକି ଘରୋଇ ଆମ୍ବୁଲାନ୍ସକୁ ବି ନିୟନ୍ତ୍ରଣ କରିବେ ସରକାର : ଉଭୟ ସରକାରୀ ଓ ଘରୋଇ ଆମ୍ବୁଲାନ୍ସରେ ଲାଗିବ ଜିପିଏସ୍ ଟ୍ରାକିଂ ମେସିନ୍,ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସେବା ଯୋଗାଇବା ପାଇଁ ପ୍ରୟାସ
କନକ ବ୍ୟୁରୋ : ଏଣିକି ଘରୋଇ ଆମ୍ବୁଲାନ୍ସକୁ ବି ସରକାର ନିୟନ୍ତ୍ରଣ କରିବେ। ଆମ୍ବୁଲାନ୍ସ ଚଳାଇବା ପାଇଁ ସ୍ବତନ୍ତ୍ର ମାନକ ପ୍ରସ୍ତୁତ ହେବ । ଏହା ସହ ଉଭୟ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ଗୋଟିଏ ‘କଲ୍ ସେଣ୍ଟର୍’ ଅଧୀନରେ ରହିବେ । ସବୁଥିରେ ଜିପିଏସ୍ ଟ୍ରାକିଂ ମେସିନ୍ ଲଗାଯାଇ ଅନ୍ଲାଇନ୍ ମନିଟରିଂ ହେବ । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟାରେ କିପରି ମାଗଣା ଉଚ୍ଚମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ, ସେ ସମ୍ପର୍କରେ ଲୋକସେବା ଭବନରେ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଆମ୍ବୁଲାନ୍ସ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୫୧୨ଟି ୧୦୮-ଆମ୍ବୁଲାନ୍ସ ଓ ୧୯ଟି ଅଗ୍ନିଶମ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତି ୫୦ କିମି ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ।
ଆବଶ୍ୟକସ୍ଥଳେ ପୁଲିସ୍ ପିସିଆର୍ ଓ ଅଗ୍ନିଶମ ସେବା ସଂସ୍ଥା ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଏହା ବାଦ୍ ରାଜ୍ୟରେ ପ୍ରାୟ ୧୫୬୨ ଘରୋଇ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଏଗୁଡ଼ିକ ମୁଖ୍ୟତଃ ବିଭିନ୍ନ ହସ୍ପିଟାଲ, ସେବା ସଂସ୍ଥା, ସ୍ବେଚ୍ଛାସେବୀ ସଂସ୍ଥା, ଶିଳ୍ପ ସଂସ୍ଥା ଦ୍ବାରା ଚଳାଯାଉ ଛି। ସମସ୍ତ ଆମ୍ବୁଲାନ୍ସରେ ‘ଜିପିଏସ୍ ଟ୍ରାକିଂ’ ମେସିନ୍ ଲଗାଇବା ସହ ଗୋଟିଏ ଅନ୍ଲାଇନ୍ ମନିଟରିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବ । ଫଳରେ ଦୁର୍ଘଟଣା ଘଟିବା ସମୟରେ ତୁରନ୍ତ ଆମ୍ବୁଲାନ୍ସ ମିଳିବାରେ ଏହା ସହାୟକ ହୋଇପାରିବ ।
ଗୋଟିଏ ଆମ୍ବୁଲାନ୍ସ ପଞ୍ଜୀକରଣ ପାଇଁ ‘ନ୍ୟାସ୍ନାଲ୍ ଆମ୍ବୁଲାନ୍ସ କୋଡ୍’ ଭିତ୍ତିରେ ବୈଷୟିକ ଓ ମାନବ ସମ୍ବଳ ମାନକ ନିର୍ଦ୍ଧାରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଆମ୍ବୁଲାନ୍ସରେ ରହିବାକୁ ଥିବା ଜୀବନରକ୍ଷାକାରୀ ଯନ୍ତ୍ରପାତି, ଔଷଧ, ପାରା ମେଡିକାଲ୍ କର୍ମଚାରୀଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ମାନକ ରହିବ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ‘ଟ୍ରମା କେୟାର’ କେନ୍ଦ୍ରକୁ ନେବା ବେଳେ ଆମ୍ବୁଲାନ୍ସ ଭିତରେ ଆବଶ୍ୟକ ସେବା ଯୋଗାଇ ଦେବାକୁ କର୍ମଚାରୀମାନେ ପ୍ରଶିକ୍ଷିତ ହେବେ । ନିର୍ଦ୍ଧାରିତ ମାନକ ପୂରଣ କରୁଥିବା ଆମ୍ବୁଲାନ୍ସଗୁଡ଼ିକୁ ହିଁ ବାଣିଜ୍ୟ ଓ ପରିବହନ ବିଭାଗ ପଞ୍ଜୀକୃତ କରି ସ୍ବୀକୃତି ଦେବେ ।