କାର୍ଯ୍ୟକାରୀ ହେବ କି କୃଷକ କଲ୍ୟାଣ ପାଣ୍ଠି ? ପୁଣି ଫାଇଲ୍ ଖୋଲିଲେ ସରକାର, କାଳିଆ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ।

507

କନକ ବ୍ୟୁରୋ : କୃଷକ କଲ୍ୟାଣ ପାଣ୍ଠି ସମ୍ପର୍କରେ ସରକାର ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି । କାର୍ଯ୍ୟକାରୀ ହେବାକୁ ଯାଉଛି କୃଷକ କଲ୍ୟାଣ ପାଣ୍ଠି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ୨୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । କ୍ଷୁଦ୍ର ଓ ଗରିବ ଚାଷୀଙ୍କୁ ୨୦,୦୦୦ ଟଙ୍କାର ସହାୟତା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା । ଏହି ଯୋଜନାରେ କ୍ଷୁଦ୍ର, ନାମମାତ୍ର ଓ ଗରିବ ଚାଷୀଙ୍କୁ ସହାୟତା ଦେବା ପାଇଁ ନିଷ୍ପତି ହୋଇଥିଲା ।

କାର୍ଯ୍ୟକାରୀ ହେବ କୃଷକ କଲ୍ୟାଣ ପାଣ୍ଠି ? ଖୋଲିଲା ପୁରୁଣା ଫାଇଲ୍ । ନିଷ୍ପତି ନିଆଯିବା ପରେ ଏକ ବର୍ଷରୁ ଅଧିକ ସମୟ ଧରି ଯେଉଁ ଫାଇଲ ଆଗକୁ ଯାଉନଥିଲା, ପୁଣି ଥରେ ସରକାରଙ୍କର ମନେ ପଡ଼ିଛି କୃଷକ କଲ୍ୟାଣ ପାଣ୍ଠି କଥା । ଏ ନେଇ ପଦକ୍ଷେପ ନେବାକୁ ଗତ ମାର୍ଚ୍ଚ ମାସ ୧୩ ତାରିଖରେ ଏ ନେଇ ସମବାୟ ସମିତି ନିବନ୍ଧକଙ୍କୁ ଚିଠି ଲେଖିଥିଲେ ସରକାର । ଏହି ଚିଠିକୁ ୩ ଦିନ ତଳେ ରାଜ୍ୟ ସମବାୟ ବ୍ୟାଙ୍କକୁ ପଠାଇଛି ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ।

ଗତ ବର୍ଷ ଅଗଷ୍ଟ ମାସରେ କୃଷକ କଲ୍ୟାଣ ପାଣ୍ଠି ବାବଦରେ ନିଷ୍ପତି ନିଆଯାଇଥିଲା । ତେବେ କାଳିଆ ଯୋଜନା ଲାଗୁ ହେବା ପରେ ଏ ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ଏବେ ପୁଣିଥରେ କୃଷକ କଲ୍ୟାଣ ପାଣ୍ଠି ସଂପର୍କରେ ଚିନ୍ତା କରୁଛନ୍ତି ସରକାର ।

ଚାଷୀଙ୍କୁ ପ୍ରାଇସ୍, ପେନସନ୍ ଓ ପ୍ରେଷ୍ଟିଜ୍ ନେଇ ବିଧାନସଭା ହୋଇଥିବା ଆଲୋଚନାକୁ ଦୃଷ୍ଟିରେ ରଖି ୨୦୧୮ ଅଗଷ୍ଟ ୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୃଷକ କଲ୍ୟାଣ ପାଣ୍ଠି ସଂପର୍କରେ ବୈଠକ ହୋଇଥିଲା । ଏଥିରେ କ୍ଷୁଦ୍ର, ନାମମାତ୍ର ଓ ଗରିବ ଚାଷୀଙ୍କୁ ସହାୟତା ଦେବା ପାଇଁ ନିଷ୍ପତି ହୋଇଥିଲା ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ –
୨୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା
କ୍ଷୁଦ୍ର ଓ ଗରିବ ଚାଷୀଙ୍କୁ ୨୦,୦୦୦ ଟଙ୍କାର ସହାୟତା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା
ସରପଂଚଙ୍କ ଜରିଆରେ କାର୍ଯ୍ୟକାରୀ ହେବ ଯୋଜନା
ନାମମାତ୍ର ଚାଷୀ ଓ ଭାଗଚାଷୀ ମଧ୍ୟ ସହାୟତା ପାଇବେ
କୃଷିଋଣ ନେଇନଥିବା ଚାଷୀଙ୍କୁ ସହାୟତା

ତେବେ କାଳିଆ ଯୋଜନାରେ ଯୋଗ୍ୟ-ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ବିବାଦ ଚାଲିଥିବା ବେଳେ କୃଷକ କଲ୍ୟାଣ ପାଣ୍ଠି ନେଇ କାହିଁକି ତତ୍ପରତା ପ୍ରକାଶ ପାଇଲା, ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।