କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତା : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟବିଭାଗର ଭିଡିଓ କନଫରେନ୍ସିଂ, ଝାରସୁଗୁଡା,ବୁର୍ଲା ଓ କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

183

କନକ ବ୍ୟୁରୋ : କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତା । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । କରୋନା ଭାଇରସର ମୁକାବିଲା ଓ ପ୍ରସ୍ତୁତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ସମ୍ବଲପୁର ଭିମସାରରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି । ଓଡିଶାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି ।

ଏହି ସ୍ୱତନ୍ତ୍ର ୱାର୍ଡରେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିକିିତ୍ସା କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ସେହିପରି ଗତକାଲି ଟୋଲ୍ ଫ୍ରି ନମ୍ବର ଜାରି କରି ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି, ଯେଉଁମାନେ ଚୀନ୍ରୁ ଫେରିଛନ୍ତି ସେମାନେ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରାଇ ନିଅନ୍ତୁ । କୌଣସି ପ୍ରକାର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସତର୍କ କରାଇ ଦେଇଛନ୍ତି ।

ସେପଟେ ଚୀନରେ କରୋନା ଭୂତାଣୁର ଆତଙ୍କ ବଢୁଛି । ଚୀନରେ ବତ୍ତମାନ ସୁଦ୍ଧା ଭୂତାଣୁରେ ସଂକ୍ରମିତ ହୋଇ ୮୦ ଜଣଙ୍କ ମୃତ୍ୟୁ ହୋଇଛି । ୨୮୦୦ ଆକ୍ରାନ୍ତ ହେଲେଣି । ଏପଟେ ଭାରତରେ ମୁମ୍ବାଇ, ଜୟପୁର ପରେ ବିହାରର ଛପ୍ରାରେ ଜଣେ ମହିଳାଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଯାଇଛି । କିଛି ଦିନ ତଳେ ଚୀନରୁ ଫେରିଥିବା ଏହି ମହିଳାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବା ମାତ୍ରେ ପ୍ରଥମେ ଛପ୍ରା ହସ୍ପିଟାଲ ଓ ପରେ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।