ଆନ୍ଧ୍ରକୁ ଜବାବ ଦେବାକୁ ଓଡ଼ିଶା ସରକାରଙ୍କ ମାଷ୍ଟର ଷ୍ଟ୍ରୋକ: ଝଞ୍ଜାବତୀରେ ନିର୍ମାଣ କରିବ ବ୍ୟାରେଜ୍

ପ୍ରକଳ୍ପ ପାଇଁ ୧୦୬ କୋଟି ବ୍ୟୟ ବରାଦ, ଖରିଫ ଋତୁରେ ସେଚିତ ହେବ ୨ହଜାର ହେକ୍ଟର ଜମି

314

କନକ ବ୍ୟୁରୋ: ପାଣି ପାଇଁ ଏକତରଫା ନିଷ୍ପତ୍ତି ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ଆନ୍ଧ୍ର ସରକାର ଏବେ ଝଟ୍‌କା ଖାଇବେ। ପୋଲାଭରମ ହେଉ କିମ୍ବା ବଂଶଧାରା ପ୍ରକଳ୍ପ ଉଭୟ ପ୍ରକଳ୍ପକୁ ଓଡ଼ିଶା ସରକାର ବିରୋଧ କରୁଥିଲେ ବି ଆଦୌ ଶୁଣୁନାହାନ୍ତି ପଡ଼ୋଶୀ ଆନ୍ଧ୍ର ସରକାର। ଉଭୟ ପ୍ରକଳ୍ପ ବର୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଓଡ଼ିଶା ସରକାର ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ। ଜଳସଂପଦ ବିଭାଗ ପକ୍ଷରୁ ଆନ୍ଧ୍ରକୁ ବିନା ବ୍ୟବହାରରେ ଚାଲି ଯାଉଥିବା ଝଞ୍ଜାବତୀ ନଦୀ ପାଣିକୁ ଅଟକାଇ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି।

ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକକୁ ଫୋକସରେ ରଖି ନିର୍ମାଣ ହେବାକୁ ଯାଉଛି ବିରାଟ ବ୍ୟାରେଜ୍। ପ୍ରାୟ ୧୦୬ କୋଟି ଟଙ୍କା ବ୍ୟୟବରାଦରେ ଏହି ବ୍ୟାରେଜ ନିର୍ମାଣ ହେବାକୁ ଯାଉଛି। ଯାହାଫଳରେ ଝଞ୍ଜାବତୀ ନଦୀ ପାଣିକୁ ବ୍ୟବହାର ପାଇଁ ଆନ୍ଧ୍ର ସରକାର ନିଜ ଅଞ୍ଚଳରେ କରିଥିବା ମେଗା ଜଳସେଚନ ପ୍ରକଳ୍ପର କାର‌୍ୟ୍ୟକାରୀକୁ ନେଇ ବର୍ତମାନ ସଂଶୟ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନାରାୟଣପାଟଣା ବ୍ଲକର ଚିନ୍ତାଗୁଡା ଗାଁ ନିକଟରେ ୧୬୦ ମିଟର ଲମ୍ବା ବ୍ୟାରେଜ ଆରମ୍ଭ ହେବାକୁ ଯାଉଛି। ଏହି ବ୍ୟାରେଜରେ ୧୦ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ୧୨ଟି ଗେଟ୍ ଲାଗିବ। ମୋଟ ୨୫୪୬ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖରିଫ ଋତୁରେ ୧୯୦୯.୭୬ ହେକ୍ଟର ଜମି ଜଳସେଚିତ ହୋଇପାରିବ। ପ୍ରସ୍ତାବିତ ଏହି ପ୍ରକଳ୍ପରେ ୨୭୧ ମିଟର ମାଟି ବନ୍ଧ ରହିବାକୁ ଥିବାବେଳେ ମୋଟ ଜଳଧାରଣ କ୍ଷମତା ୨୭୦ ମିଟର ରହିବ। ୩୯୩ ବର୍ଗ କିଲୋମିଟର ଦୂରରୁ ୪୨୪୦ କ୍ୟୁସେକ ଜଳ ଆସିବ। ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ଟି ଗାଁ ଓ ଲକ୍ଷ୍ମୀପୁର ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବ।

 

ଏହି ବ୍ୟାରେଜର ପରିକଳ୍ପନା ୧୫ ବର୍ଷ ତଳେ କରାଯାଇଥିଲା। ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ ନିର୍ମାଣ କରିବାକୁ ପ୍ରଥମେ ପ୍ରସ୍ତାବ ରଖିଥିବା ବେଳେ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ବ୍ୟାରେଜ ନିର୍ମାଣ ପାଇଁ ଅଣ୍ଟା ଭିଟିଥିଲା। ଗତବର୍ଷ ଜୁନ ମାସରେ ଜୟପୁର ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ପରବର୍ତୀ ସମୟରେ ନିର୍ମାଣ କାର‌୍ୟ୍ୟ ପାଇଁ ଆବଶ୍ୟକ କାଗଜପତ୍ର କାମକୁ ତ୍ବାରାନ୍ବିତ କରାଯାଇଛି। ଅନ୍ୟପଟେ ଏହି ପ୍ରକଳ୍ପ ହେଲେ ଆନ୍ଧ୍ର ସରକାରଙ୍କ ଝଞ୍ଜାବତୀ ପ୍ରକଳ୍ପ ପ୍ରଭାବିତ ହେବାର ସମ୍ଭାବନା ରହିଥିବା କୁହାଯାଉଛି।