ବେଆଇନ ବିଲ୍ଡିଂ ନିର୍ମାଣକାରୀଙ୍କୁ କ୍ଷମା ଦେବେ ସରକାର! ଆସିଲା ସର୍ବକ୍ଷମା ଯୋଜନା, ଜାଣନ୍ତୁ କେଉଁଠି କେତେ ଟଙ୍କା ଦରମା ଦେଲେ ନିୟମିତ ହେବ ବେଆଇନ ବିଲ୍ଡିଂ

46

କନକ ବ୍ୟୁରୋ : ପୁଣି ଥରେ ସହରାଂଚଳରେ ବେଆଇନ ନିର୍ମାଣ ପାଇଁ ସର୍ବକ୍ଷମା ଯୋଜନା ଆଣିଛନ୍ତି ସରକାର । ଯେଉଁମାନେ ପ୍ଲାନ ଅନୁମୋଦନ ନକରି କିମ୍ବା ପ୍ଲାନ ନିୟମ ଉଲଂଘନ କରିଛନ୍ତି, ସେମାନେ ନିୟମିତକରଣ ଫି’ ବା ଜରିମାନା ଦେଇ ବେଆଇନ ନିର୍ମାଣକୁ ନିୟମିତ କରିପାରିବେ । କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପାରାଦୀପ, ତାଳଚେର-ଅନୁଗୁଳ-ମେରାମୁଣ୍ଡଳୀ, ପୁରୀ-କୋଣାର୍କ, କଳିଙ୍ଗନଗର ଆଦି ୯ଟି ଉନ୍ନୟନ କର୍ତୃପକ୍ଷ ଅଧିନରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ୬ମାସ ମଧ୍ୟରେ ଏଥିପାଇଁ ଆବେଦନ କରିପାରିବେ । ଦୁଇ ମାସ ମଧ୍ୟରେ ଅନୁମତି ମିଳିବ ।

ବିନା ଅନୁମୋଦନରେ ସହରାଂଚଳରେ ଘର ତିଆରି କରି ଦ୍ୱନ୍ଦ୍ୱରେ ରହିଛନ୍ତି କି? ତେବେ ଚିନ୍ତା କରନ୍ତୁ ନାହିଁ, ପୁଣିଥରେ ସରକାର ଆଣିଛନ୍ତି ସର୍ବକ୍ଷମା ଯୋଜନା । ପ୍ଲାନ ଅନୁମୋଦନ ନକରି ଘର କରିଥିବା କିମ୍ବା ପ୍ଲାନ ସର୍ତ ଉଲଂଘନ କରିଥିବା ଲୋକଙ୍କୁ ମାଫ କରିବେ ସରକାର । ଅର୍ଥାତ୍ ନିର୍ଦ୍ଧାରିତ ଜରିମାନା ଦିଅନ୍ତୁ, ଆଉ ସର୍ବକ୍ଷମା ପାଇ ନିଶ୍ଚିନ୍ତରେ ରୁହନ୍ତୁ ।

ଛୋଟ ବାସଗୃହ ପାଇଁ ସର୍ବକ୍ଷମା ଯୋଜନାରେ ସର୍ତ୍ତ କୋହଳ ରଖାଯାଇଛି ।
– ୩୦୦ ବର୍ଗମିଟର ପର୍ଯ୍ୟନ୍ତ ବାସଗୃହ କ୍ଷେତ୍ରରେ ପଡ଼ୋଶୀଙ୍କ ଏନଓସି ନଥିଲେ ମଧ୍ୟ ବିଚାରକୁ ନିଆଯିବ । ଅନୁମୋଦିତ ପ୍ଲାନର ଉଲଂଘନ ଓ ପାର୍କିଂ ଉଲଂଘନରେ ତାରତମ୍ୟ ଥିଲେ ନିର୍ଦ୍ଧାରିତ ଦୈୟ ପୈଠ କରି ନିୟମିତ କରାଇ ପାରିବେ ।
– ଆବାସିକ ଆପାର୍ଟମେଂଟ କ୍ଷେତ୍ରରେ ୫୦ ପ୍ରତିଶତ ପାର୍କି ବ୍ୟବସ୍ଥା ରହିଥିଲେ ଏବଂ ୱେଲଫେୟାର ଆସୋସିଏସନ୍ର ସହମତି ରହିଥିଲେ ପ୍ଲାନ୍ ଉଲଂଘନକୁ ନିୟମିତକରଣ କରାଯାଇପାରିବ ।
– ସେହିପରି ସ୍ୱାସ୍ଥ୍ୟସେବା ସହ ଜଡିତ ସଂସ୍ଥାଗୁଡିତ ପାଇଁ ମଧ୍ୟ ଏହି ଯୋଜନାରେ କୋହଳ ମାପଦଣ୍ଡର ବ୍ୟବସ୍ଥା କରାଯାଇଛି ।

ଯେଉଁ ନିର୍ମାଣକୁ ସର୍ବକ୍ଷମା କରାଯିବ, ସେହି ନିର୍ମାଣ ଗଠନ ଦୃଷ୍ଟିରୁ ନିରାପଦ ଥିବା ସହ ଏହା କୌଣସି ମତେ ଜନସାଧାରଣଙ୍କ ଜୀବନଚର୍ଯ୍ୟାକୁ ପ୍ରତିହତ କରୁନଥିବ । ଏବଂ ଅନ୍ୟ କୌଣସି ଆଇନର ଉଲଂଘନ ହୋଇନଥିବ ।

ବିମାନବନ୍ଦର ଅଂଚଳ, ଐତିହ୍ୟ କୀର୍ତ୍ତି ରାଜି ଅଂଚଳରେ ସଂପୃକ୍ତ ସଂସ୍ଥାର ଏନଓସି ରହିଥିବା ଜରୁରୀ ।
ନଜର ପକାନ୍ତୁ କେଉଁ ଅଂଚଳ ପାଇଁ କେତେ ଜରିମାନା
• ମହାନଗର ନିଗମ ଅଂଚଳ ବାସଗୃହ ପାଇଁ ବର୍ଗମିଟର ପିଛା ୧୦,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୭,୫୦୦ ଟଙ୍କା ।
• ପୌରାଂଚଳରେ ବାସଗୃହ ପାଇଁ ବର୍ଗମିଟର ପିଛା ୮,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୫,୦୦୦ ଟଙ୍କା ।
• ଏନଏସିରେ ବାସଗୃହ ପାଇଁ ବର୍ଗମିଟର ପିଛା ୬,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୩,୦୦୦ ଟଙ୍କା ।
• ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ଗ୍ରାମାଂଚଳରେ ବାସଗୃହ ପାଇଁ ବର୍ଗମିଟର ପିଛା ୫,୦୦୦ ଟଙ୍କା ଓ ବ୍ୟବସାୟିକ କୋଠା ପାଇଁ ୧୦,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି ।
• ସେହିପରି ଆଗ, ପଛ, ଦୁଇ ପାଶ୍ୱର୍ ନଛାଡି ପ୍ଲାନ ନିୟମ ଉଲଘଂନ କରି ବେଆଇନ ନିର୍ମାଣ ହୋଇଥିଲେ କମ୍ପାଉଣ୍ଡ ଫି ଆଦାୟ କରାଯିବା ବ୍ୟବସ୍ଥା ରହିଛି ।

ତେବେ ସରକାରୀ ଜମି ଜବରଦଖଲ, ସର୍ବସାଧାରଣ ରାସ୍ତା, ପ୍ରାକୃତିକ ଡ୍ରେନର ଜବରଦଖଲ ହୋଇଥିଲେ ତାହା ସର୍ବକ୍ଷମା ଯୋଜନାରେ ସାମିଲ ହୋଇପାରିବ ନାହିଁ । ଏହି ଯୋଜନା ଅନ୍ତର୍ଭୁକ୍ତ ହେବା ପାଇଁ ଗୃହନିର୍ମାଣ ପ୍ଲାନର ୪ କିତା ନକଲ, ଏନଓସି, ଫାୟାର ସେଫ୍ଟି ସାର୍ଟିଫିକେଟ୍ ସହ ଧାର୍ଯ୍ୟ ଦେୟ ପୈଠ କରି ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ ।