ବାବୁଙ୍କ ପକେଟ୍ ଗରମ ! ୧୦ ବର୍ଷ ପରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ଦରମା

44

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଲାଗୁ କଲେ ସପ୍ତମ ବେତନ କମିଶନ । ଏହାପରେ ପୁଣି ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଜୟ ଜୟକାର । ସଚିବାଳୟରୁ ତୃତୀୟ ମହଲାଯାଏଁ, ଆଜି ନବୀନଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଭିନ୍ନ ସଂଗଠନର ଲାଗିଥିଲା ଭିଡ । ପୂଜା ପୂର୍ବରୁ ସରକାରଙ୍କ ଉପହାର ପାଇ ସମସ୍ତେ ଖୁସ୍ । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ୭ମ ବେତନ କମିଶନ ଦରମା ଲାଗୁ କରିବା ପରେ ଦେଇଛନ୍ତି ଧନ୍ୟବାଦ । ପୂଜା ପୂର୍ବରୁ ମିଳିଛି ଉପହାର । ସର୍ବାଧିକ ଦରମା ପାଇବେ ମୁଖ୍ୟ ଶାସନ ସଚିବ ରାଙ୍କର ଅଧିକାରୀ । ଯାହାଙ୍କ ଦରମା ରହିବ ପ୍ରାୟ ୨ ଲକ୍ଷ ୨୫ ହଜାର । ସେହିଭଳି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ରହିବ ୧୮ ହଜାର । ବାର୍ଷିକ ଖର୍ଚ୍ଚ ହେବ ୪୫୦୦ କୋଟି । ଏରିୟର ବାବଦରେ ମଧ୍ୟ ରାଜକୋଷ ଉପରେ ବୋଝ ପଡିବ ।

ତେବେ ସପ୍ତମ ବେତନ କମିଶନ ଲାଗୁ ପରେ ପ୍ରଶ୍ନ ଉଠାଇଛନ୍ତି ବ୍ଲକ୍ ଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକ । ସମସ୍ୟାର ସମାଧାନ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ଆବଶ୍ୟକ ଥିଲା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ।

ସେହିଭଳି ଚାଷୀ ସମସ୍ୟାକୁ ନେଇ ଆନ୍ଦୋଳନ କରୁଥିବା ନବନିର୍ମାଣ କୃଷକ ସଂଗଠନ ମଧ୍ୟ ସରକାରଙ୍କ ନିଷ୍ପତକୁ ନାପସନ୍ଦ କରିଛନ୍ତି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ଦାବି ଦୀର୍ଘ ଦିନରୁ ହେଉଥିଲେ ବି ସରକାର ତେଲିଆ ମୁଣ୍ଡରେ ତେଲ ଭଳି ନିଷ୍ପତି ନେଉଛନ୍ତି । ହାଲକୁ ସରକାର ମାସିକ ୧ ହଜାର ଟଙ୍କା ପେନସନ୍ ଦିଅନ୍ତୁ, ନଚେତ୍ ମାର୍ଚ୍ଚ ମାସରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଘ ।

ଚଳିତ ବର୍ଷ ରାଜ୍ୟ ବଜେଟର ଆକାର ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା । କେନ୍ଦ୍ରୀୟ ଟିକସର ଅଂଶକୁ ଛାଡ଼ି ରାଜ୍ୟ ରାଜସ୍ୱ ସୂତ୍ରରୁ ସରକାର ପାଇବେ ମାତ୍ର ୩୬ ହଜାର କୋଟି । ହେଲେ ସରକାରୀ ଦରମା ଓ ପେନ୍ସନ୍ ବାବଦରେ ଖର୍ଚ୍ଚ ହେବ ପ୍ରାୟ ୩୮ ହଜାର କୋଟି ଟଙ୍କା । ଅର୍ଥାତ୍ ରାଜ୍ୟର ନିଜସ୍ୱ ଆୟକୁ ବଳିଯାଉଛି ଦରମା ଓ ପେନସନ ବାବଦ ଦେୟ । ରାଜ୍ୟ ଜନସଂଖ୍ୟାର ୨ ପ୍ରତିଶତ ଲୋକଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉଛି । ହେଲେ କୃଷକ, ଶିକ୍ଷକଙ୍କ ଭଳି ଅନ୍ୟ କ୍ଷେତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ ବାବଦରେ ସରକାର କେବେ ସଚେତନ ହୋଇ ନିଷ୍ପତି ନେବେ ତାଉପରେ ନଜର ।