୨୦୨୦ ବର୍ଷ ପାଇଁ ଛୁଟି ତାଲିକା : ସରକାରୀ ଚାକିରିଆଙ୍କ ୨୮; ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସନ୍ତାବର୍ଷ ରହିବ ୧୮ଦିନ ଛୁଟି

ରବିବାରରେ ୫ଟି, ଶନିବାରରେ ୩ଟି ପଡ଼ୁଛି

14,826

କନକ ବ୍ୟୁରୋ: ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ରାଜ୍ୟ ସରକାରଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଆଗୁଆ ଛୁଟି ତାଲିକା ଦେଖି ସରକାରୀ କର୍ମଚାରୀ ଖୁସି ହେବା ବଦଳରେ ଦୁଃଖୀ ହୋଇଯାଇଛନ୍ତି। କାରଣ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କର ମୋଟ ଛୁଟିରୁ ୮ଟି ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର ପଡ଼ୁଛି। ବର୍ଷକରେ ୮ଟା ଛୁଟି ମାଡ଼ ଖାଇ ଯାଉଥିବାରୁ ସମସ୍ତଙ୍କ ମନ ଦୁଃଖ।

ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ, ପହିଲି ରଜ, ମହରମ୍, ନୂଆଖାଇ, ମହାନବମୀ ରବିବାର ପଡ଼ୁଥିବା ବେଳେ ଗଣେଶ ପୂଜା ଓ ମହାଷ୍ଟମୀ ଚତୁର୍ଥ ଶନିବାର ଏବଂ ଦୀପାବଳି/ କାଳୀ ପୂଜା ଦ୍ବିତୀୟ ଶନିବାର ପଡ଼ୁଛି। ସେହିପରି ବ୍ୟାଙ୍କ କର୍ମଚାରୀଙ୍କର ୪ଟି ଛୁଟି ରବିବାର ପଡ଼ି ଯାଉଥିବାରୁ ସେମାନଙ୍କ ଅବସ୍ଥା ବି ସମାନ। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଛୁଟି ତାଲିକା ଅନୁଯାୟୀ, ଏଥର ୨୭ଟି ଛୁଟି ଦିନ ରହିବ। ଏହାବାଦ୍ ୧୧ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଛୁଟି ନେଇ ପାରିବାର ନିୟମ ଥିବା ବେଳେ ଏଥିରୁ ତିନିଟି ଛୁଟି ଛୁଟିଦିନରେ ପଡ଼ୁଛି। ବ୍ରାହ୍ମ ସମାଜ ପ୍ରତିଷ୍ଠା ଦିବସ ଚତୁର୍ଥ ଶନିବାର, ଇଷ୍ଟର ଶନିବାର ଦ୍ବିତୀୟ ଶନିବାର ଏବଂ ରାଜା ରାମମୋହନ ରାୟଙ୍କ ଜୟନ୍ତୀ ସାବିତ୍ରୀ ଅମାବାସ୍ୟାରେ ପଡ଼ୁଥିବାରୁ ଏଥିରେ ବେଶୀ ଖୁସି ହେବା ଭଳି ସୁଯୋଗ ବି ନାହିଁ।

ଅପରପକ୍ଷେ ଚଳିତବର୍ଷ ରାଜ୍ୟ କର୍ମଚାରୀଙ୍କ ପାଇଁ ମୋଟ ୩୨ଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ସେଥିରେ ୭ଟି ଛୁଟି ରବିବାର ଓ ଦ୍ୱିତୀୟ ଶନିବାର ପଡ଼ିଥିଲା। ୨୦୨୦ରେ ସରକାରୀ କର୍ମଚାରୀମାନେ ଜାନୁଆରିରେ ୨ଟି, ଫେବ୍ରୁଆରିରେ ଗୋଟିଏ, ମାର୍ଚ୍ଚରେ ତିନିଟି, ଏପ୍ରିଲରେ ୫ଟି, ମେ’ରେ ୨ଟି, ଜୁନ୍ରେ ୨ଟି ଛୁଟି ମିଳିବ। ଜୁଲାଇରେ କାର୍ଯ୍ୟଦିବସରେ କୌଣସି ଛୁଟି ନଥିବାବେଳେ ଅଗଷ୍ଟରେ ୪ଟି, ସେପ୍ଟେମ୍ବରରେ ଗୋଟିଏ, ଅକ୍ଟୋବରରେ ୫ଟି, ନଭେମ୍ବର ଓ ଡିସେମ୍ବରରେ ଗୋଟିଏ ଲେଖାଏଁ ଛୁଟି କାର୍ଯ୍ୟଦିବସରେ ପଡ଼ୁଛି।