ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପଛୁଆ ବର୍ଗଙ୍କୁ ନାର୍ଯ୍ୟ ଅଧିକାର ଦେବାକୁ ଫୋକସ କରି ଓବିସି କମିଶନ ଗଠନ କଲେ ସରକାର , କମିଶନର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ।

483

କନକ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରାଜ୍ୟ ସରକାର ଆଜି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଓବିସି କମିଶନ । ପ୍ରଫେସର ଡ. ନବନୀତା ରଥ ଓ ପ୍ରଫେସର୍ ଡକ୍ଟର ମିତାଲି ଚିନ୍ନାରା ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଏହାର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ।

ସେହିପରି ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଓବିସି କମିସନର ସଦସ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ ଅଧିନିୟମ, ୧୯୯୩ରେ ଥିବା ବ୍ୟବସ୍ଥା ଅନୁସାରେ ଏହି କମିଶନ ଗଠନ କରିଛନ୍ତି ସରକାର । ତେବେ ଏହି କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ରଘୁନାଥ ବିଶ୍ବାଳ ଏହା ପୂର୍ବରୁ ରାଜ୍ୟ ଖାଉଟି ବିବାଦ କମିସନର ଅଧ୍ୟକ୍ଷ ଥିଲେ ।

ସେପଟେ ଓବିସି କମିଶନ ଗଠନ ହେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି । ଏହା ଓବିସି ସମାଜର ଦୀର୍ଘ ଦିନର ଦାବି କାରଣରୁ ସମ୍ଭବ ହୋଇପାରିଛି । ରାଜ୍ୟ ସରକାର ରାଜ୍ୟର ଏହି ବହୁସଂଖ୍ୟକ ସମାଜକୁ ସେମାନଙ୍କ ନାର୍ୟ୍ୟ ଅଧିକାର ଦେବା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ।