ମିଳୁନି ସଙ୍ଗରୋଧ ସହାୟତା ଟଙ୍କା: ସରକାର ଘୋଷଣା କରିଦେଲେ, ଜିଲ୍ଲାକୁ ନିର୍ଦ୍ଦେଶ ଦେଲେନି; କ୍ବାରାଣ୍ଟିନ୍ ଅବଧି ପୂରା କରିଥିବା ଦେଢ ହଜାରଙ୍କୁ ଟଙ୍କା ମିଳିନି

291

କନକ ବ୍ୟୁରୋ: ସରକାରଙ୍କ ୨ହଜାର ଟଙ୍କା ସଙ୍ଗରୋଧ ସହାୟତାର ରାଶିର ଘୋଷଣାକୁ ନେଇ ଏବେ ଦ୍ବନ୍ଦ୍ବ ପ୍ରକାଶ ପାଇଲାଣି। କ୍ବାରାଣ୍ଟିନ୍ ଅବଧି ପୂରଣ କରି ଘରକୁ ଫେରୁଥିବା ପ୍ରବାସୀମାନେ ଖାଲି ହାତରେ ଫେରୁଛନ୍ତି। ଗଲାବେଳେ ସମସ୍ତଙ୍କର ଗୋଟିଏ ପ୍ରଶ୍ନ, ୨ହଜାର ଟଙ୍କାର ସଙ୍ଗରୋଧ ସହାୟତା ରାଶି କେବେ ମିଳିବ? ହେଲେ, ଦାୟିତ୍ବରେ ଥିବା ଅଧିକାରୀମାନେ ନିରୁତ୍ତର। କେବେ ଟଙ୍କା ମିଳିବ, କେତେ ଟଙ୍କା ମିଳିବ, ଅଥବା ମିଳିବନି; ସେ ସଂପର୍କରେ କେହି ଠିକ୍ରେ ଉତ୍ତର ରଖିପାରୁ ନାହାନ୍ତି। କାରଣ, ସରକାର ଘୋଷଣା କରିଥିବା ସଙ୍ଗରୋଧ ସହାୟତା ରାଶି ପ୍ରଦାନ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ କୌଣସି ନିର୍ଦ୍ଦେଶ ଆସିନାହିଁ। କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଦେଢ ହଜାରରୁ ଅଧିକ ପ୍ରବାସୀ ସଙ୍ଗରୋଧ ଅବଧି ପୂରଣ କରି ଘରକୁ ଫେରିଥିଲେ ବି ସେମାନଙ୍କ ଭିତରୁ କାହାରିକୁ ସଙ୍ଗରୋଧ ସହାୟତା ରାଶି ମିଳି ନଥିବା ଜଣାପଡ଼ିଛି।

ମିଳିଥିବା ତଥ୍ୟ ମୁତାବକ, କଟକ ଜିଲ୍ଲାକୁ ୫୦ହଜାରୁ ଅଧିକ ପ୍ରବାସୀ ଶ୍ରମିକ ଫେରିବା ନେଇ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ହଜାର ପ୍ରବାସୀ ଜିଲ୍ଲାକୁ ଫେରି ସାରିଥିବାବେଳେ ଏହି ୧୨ହଜାରଙ୍କ ଭିତରୁ ପାଖାପାଖି ଦେଢ଼ହଜାର ଲୋକ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ସଙ୍ଗରୋଧ ସମୟ କାଟି ରିପୋର୍ଟ ନେଗେଟିଭ୍ ବାହାରିବା ପରେ ହୋମ କ୍ବାରାଣ୍ଟନ୍କୁ ଗଲେଣି। ନରସିଂହପୁର ବ୍ଲକ୍କୁ ସର୍ବାଧିକ ୨୩୩୫ଜଣ ଶ୍ରମିକ ଫେରିଥିବା ବେଳେ ସେଥିରୁ ୪୮୨ଜଣ କ୍ବାରାଣ୍ଟିନ୍ ଅବଧି ପୂରା କରି ଏବେ ହୋମ କ୍ବାରାଣ୍ଟିନ୍ରେ ଗଲେଣି। ସେହିପରି ବଡମ୍ବାରେ ୧୧୭, ନିଆଳିରେ ୧୩୦, ମାହାଙ୍ଗାରେ ୯୦, ଆଠଗଡ଼ରେ ୫୧, ତିଗିରିଆରେ ୯୩, ବାଙ୍କୀରେ ୧୭୧, ଡମପଡ଼ା ୯୯, ବାଙ୍କୀ ଏନ୍ଏସିରେ ୧୫ଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ପାଖାପାଖି ଦେଢହଜାର ପ୍ରବାସୀ ଏବେ ହୋମ କ୍ବାରାଣ୍ଟିନ୍ରେ ଅଛନ୍ତି।

ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସୁଛି, ସେମାନଙ୍କୁ ଟିଏମ୍ସିରୁ ସିଧା ହୋମ୍ କ୍ବାରାଣ୍ଟିନ୍କୁ ପଠାଇ ଦିଆଯାଇଛି। ଯିବା ସମୟରେ ସେମାନଙ୍କ ହାତରେ କେବଳ ନେଗେଟିଭ୍ ରିପୋର୍ଟର ସାର୍ଟିଫିକେଟ୍ ଓ ଫୁଲତୋଡ଼ା ଦିଆଯାଇ ଘରକୁ ପଠାଇ ଦିଆଯାଉଛି। କିନ୍ତୁ, ସରକାର ଘୋଷଣା କରିଥିବା ୨ହଜାର ଟଙ୍କା ସଙ୍ଗରୋଧ ସହାୟତା ରାଶି କାହାରିକୁ ମିଳୁନି। ଏ ସମ୍ପର୍କରେ କଟକ ସଦର ଉପ-ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଟଙ୍କା ପ୍ରଦାନ ନେଇ କୌଣସି ନିର୍ଦ୍ଦେଶ କିମ୍ବା ଚିଠି ଆସିନି। ଆସିଲେ ସେମାନଙ୍କୁ ସହାୟତା ରାଶି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଏବେ ଏହି ସମସ୍ୟା ଉପୁଜିଥିବା ଜଣାପଡ଼ିଛି।