ସାମ୍ନାକୁ ଆସିଲା ଖଣି ନିଲାମ ବାତିଲ୍ ପଛର ରୋଚକ କାହାଣୀ । ୫ଟି ଅଂଶୀଦାର ନାଁରେ ଆବେଦନ କରିଥିଲା ଜେଏସଡବ୍ଲୁ, ଅଭିଯୋଗ ଆସିଲା, ନିଲାମ ବାତିଲ ହେଲା ।

420

କନକ ବ୍ୟୁରୋ : ଗତ ସୋମବାର ଦିନ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ୨୦ଟି ଖଣିର ନିଲାମକୁ ବାତିଲ କରିଦେଲେ । ବିଡିଂ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ଏହାକୁ ବାତିଲ କରାଗଲା । ଏବେ ଏହାର ଭିତିରି କଥା ସାମନାକୁ ଆସିଛି । ଇକୋନୋମିକ ଟାଇମ୍ସ କରିଥିବା ରିପୋର୍ଟ ଅନୁସାରେ ଜେ.ଏସ.ଡବ୍ଲୁ କମ୍ପାନି ଏହାର ୫ଟି ଅଂଶିଦାର କମ୍ପାନୀ ନାଁରେ ମଧ୍ୟ ବିଡିଂ କରିଥିଲା । ତେବେ ଏନେଇ ରାଜ୍ୟ ସରକାରଙ୍କ ପାଖରେ ଆର୍ସେଲର ମିତଲ ଓ ଅଦାନୀ ଗ୍ରୁପ ଅଭିଯୋଗ କରିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହାର ତନ୍ନ ତନ୍ନ ଯାଂଚ କରି ନିଲାମକୁ ବାତିଲ କରିଦେଲେ ।

କେନ୍ଦୁଝର ଜିଲାର ନୂଆଗାଁ ସ୍ଥିତ ଏହି ଲୁହାପଥର ଖଣିକୁ ନେଇ ବିବାଦ ସୃଷ୍ଟି ହୋଇଛି । ୭୯୨ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ଥିବା ଏହି ଖଣି ରାଜ୍ୟ ସରକାର ନିଲାମ କରିବାକୁ ଥିବା ଖଣି ଭିତରେ ସବୁଠୁ ବଡ, ଆଉ ଏଥିରେ ଗଚ୍ଛିତ ଥିବା ଲୁହା ପଥରର ଦାମ କେତେ, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଅନୁମାନ କରାଯାଉଛି ୭୬୭ ହେକ୍ଟର ପରିବ୍ୟାପ୍ତ ଏହି ଖଣିରେ ୩ ହଜାର ୮୭୨ କୋଟି ଟଙ୍କା ମୁଲ୍ୟର ଲୁହା ପଥର ଗଚ୍ଛିତ ଅଛି । ଏହି ନୂଆଗାଁ ଖଣି ନିଲାମ ପାଇଁ କମ୍ପାନୀମାନେ ଆବେଦନ କରିବା ସମୟରେ ଗଳା ବାଟ ଦେଇ ଏହାକୁ ହାତେଇବାକୁ ମଧ୍ୟ ପଛାଇନଥିଲେ । ଆଉ ବୋଧେହୁଏ ସେଇଥିପାଇଁ ଦେଶର ଖ୍ୟାତନାମା ଇସ୍ପାତ କମ୍ପାନୀମାନଙ୍କ ମଧ୍ୟରେ ଗଣାଯାଉଥିବା ଜେଏସଡବ୍ଲୁ ଷ୍ଟିଲ ମଧ୍ୟ ଗଳା ବାଟ ଆପଣେଇବାକୁ ପଛାଇନଥିଲା ।

ଜାତୀୟ ଗଣମାଧ୍ୟମ ଇକୋନମିକ ଟାଇମ୍ସ କରିଥିବା ରିପୋର୍ଟ ଅନୁସାରେ ଏହି ନଊଆଗାଁ ଖଣି ପାଇଁ ଜେଏସଡବ୍ଲୁ ଏହାର ୬ଟି କମ୍ପାନୀ ମାଧ୍ୟମରେ ନିଲାମ ନେବା ପାଇଁ ଆବେଦନ କରିଥିଲା । ସେଗୁଡିକ ହେଲା ଜେଏସଡବ୍ଲୁ ଷ୍ଟିଲ, ଜେଏସଡବ୍ଲୁ ରାଏଗଡ, ଜେଏସଡବ୍ଲୁ ବେଙ୍ଗଲ ଷ୍ଟିଲ, ଜେଏସଡବ୍ଲୁ ଝାରଖଣ୍ଡ ଷ୍ଟିଲ, ଜେଏସଡବ୍ଲୁ ଉକ୍ରଳ ଷ୍ଟିଲ ଓ ଅମ୍ବା ରିଭରକୋକ୍ । ଜେଏସଡବ୍ଲୁ ମାଲିକ ସଚିନ ଜିନ୍ଦଲଙ୍କ ବଡ ଭାଇଙ୍କ କମ୍ପାନୀ ଏସଏଡବ୍ଲୁ ଏବଂ ସାନ ଭାଇ ନବୀନ ଜିନ୍ଦଲଙ୍କ ୨ଟି କମ୍ପାନୀ ମଧ୍ୟ ଏହି ଲୁହା ପଥର ଖଣି ପାଇଁ ଆବେଦନ କରିଥିଲେ ।

ଇକୋନମିକ ଟାଇମସ କରିଥିବା ରିପୋର୍ଟ ଅନୁସାରେ, ଜିନ୍ଦଲର ଏହି ଚଂଚକତାକୁ ନେଇ ଓଡିଶା ସରକାରଙ୍କ ଆଗରେ ଅଭିଯୋଗ କରିଥିଲେ ଅଦାନୀ ପାୱାର ଓ ଆର୍ସେଲର ମିତଲ । କୁହାଯାଉଛି ଏହି ଅଭିଯୋଗ ପରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତନ୍ନ ତନ୍ନ କରି ଆବେଦନ ପତ୍ର ଯାଂଚ କରୁଛନ୍ତି । କୁହାଯାଉଛି ଗୋଟିଏ କମ୍ପାନୀର ଅଂଶୀଦାର କମ୍ପାନୀ ନିଲାମ ପାଇଁ ଆବେଦନ କରିବାରେ ସେ ଭଳି କୌଣସି ଆଇନଗତ ବାଧା ନାହିଁ । କିନ୍ତୁ ଆର୍ସେଲର ମିତଲଙ୍କ କମ୍ପାନୀ ଓ ଅଦାନୀ ପାୱାର ରାଜ୍ୟ ସରକାରଙ୍କ ଆଗରେ ଅଭିଯୋଗ କରି ଯୁକ୍ତି ବାଢିଛନ୍ତି ଯେ ଏହି ବ୍ୟବସ୍ଥା ଏକ ସ୍ୱଚ୍ଛ ଓ ସୁସ୍ଥ ବ୍ୟବସ୍ଥା ନୁହେଁ ।

ପାରାଦୀପରେ ୧୨ ମିଲିୟନ ଟନର ଇସ୍ପାତ କାରଖାନା କରିବା ପାଇଁ ଜେଏସଡବ୍ଲୁ ବା ଜିନ୍ଦଲ ସାଉଥ ୱେଷ୍ଟ କମ୍ପାନୀ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏବଂ ଏହି ଦିଗରେ କାମ ମଧ୍ୟ ଆଗେଇ ଚାଲିଛି । ଏବେ ରାଜ୍ୟ ସରକାର ଆସନ୍ତା ୬ ତାରିଖରେ ୨୦ଟି ଖଣିର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି । ଏବଂ ସର୍ତ ରଖିଛନ୍ତି ଯେକୌଣସି ଗୋଟିଏ କମ୍ପାନୀ ଗୋଟିଏ ଆବେଦନ କରିପାରିବ, ଅଂଶୀଦାର କମ୍ପାନୀ ଆବେଦନ କରିପାରିବେ ନାହିଁ ।