ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସରକୁ ଅନୁମୋଦନ : ଖୁବଶୀଘ୍ର ନିଷ୍ପତି ନେବାକୁ କେନ୍ଦ୍ରକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ

ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା !

160

କନକ ବ୍ୟୁରୋ : ୧୯୯୪ ବ୍ୟାଚର ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ସ୍ୱେଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହା ସହ ଅପରାଜିତାଙ୍କ ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି । ଗତକାଲି ଏନେଇ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର ନାଥ ସାହୁ କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରାଳୟର ଉପସଚିବଙ୍କୁ ଜଣାଇଛନ୍ତି ।

ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୫ରେ ଚାକିରିରୁ ସ୍ୱେଛାକୃତ ଅବସର ନେବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଆବେଦନ କରିଥିଲେ । ଶ୍ରୀମତି ଷଡଙ୍ଗୀ ଏନେଇ ତିନି ମାସିଆ ନୋଟିସ୍ ଦେବା ସହ ଡିସେମ୍ବର ୧୪ରେ ତାଙ୍କର ଶେଷ କାର୍ଯ୍ୟଦିବସ ହେବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଅନ୍ୟପଟେ ଅପରାଜିତା ସ୍ୱେଛାକୃତ ଅବସର ନେଉଥିବା ଜଣାପଡିବା ପରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସେ ରାଜନୀତିରେ ସାମିଲ ହେବା ପାଇଁ ସ୍ୱେଛାକୃତ ଅବସର ନେଇଥିବା ଚର୍ଚ୍ଚା ହେଉଛି ।