‘କାଳିଆ’ ଯୋଜନା ଘୋଷଣା ପରେ ପରେ କାହିଁକି ଛୁଟିରେ ଗଲେ ସମବାୟ ସଚିବ ରଂଜନା ଚୋପ୍ରା? କ୍ୟାବିନେଟ୍ ଏଜେଣ୍ଡା ଡ୍ୟାଫ୍ଟ କପି ଲିକ୍ ନେଇ ବଢିଲା ଚର୍ଚ୍ଚା

ପ୍ରେସ ବିଜ୍ଞପ୍ତି ଆସିବା ପୂର୍ବରୁ ସୋସିଆଲ୍ ମିଡିଆରେ ଘୁରିବୁଲିଥିଲା ଡ୍ରାଫ୍ଟ କପି

547

କନକ ବ୍ୟୁରୋ: ‘କାଳିଆ’ ଯୋଜନାକୁ ନେଇ ରାଜନୈତିକ କଥା କଟାକଟି ଚାଲିଥିବା ବେଳେ ସାମନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଗୋଟିଏ ପଟେ କୃଷକଙ୍କ ପାଇଁ କାଳିଆ ଯୋଜନା କେତେ ସହାୟକ ହେବ ଚର୍ଚ୍ଚା ଚାଲିଥିଲା, ଅନ୍ୟପଟେ ଯୋଜନା ଘୋଷଣା ହେବା ପରେ ପରେ ସମବାୟ ସଚିବ ରଂଜନା ଚୋପ୍ରା ଛୁଟିରେ ଯାଇଥିଲେ । ତାଙ୍କ ସ୍ଥାନରେ ସଚିବ ଭାବେ ଆଇଏଏସ୍ ଅଧିକାରୀ କ୍ରିଷନ କୁମାରଙ୍କୁ ଦିଆଯାଇଛି ଦାୟିତ୍ୱ । ବିଡିଏ ଉପାଧ୍ୟକ୍ଷ ସହ ସେ ଏହି ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।

ତେବେ ଯେଉଁ ବିଭାଗ କାଳିଆ ଯୋଜନା ପାଇଁ ଦିନରାତି କସରତ୍ କରିଥିଲା, ସେହି ବିଭାଗର ସଚିବଙ୍କ ଛୁଟିରେ ଯିବା ଘଟଣା ନିଶ୍ଚିତ ଭାବେ ଅନେକ ପ୍ରଶ୍ନଚିହ୍ନ ଛାଡିଛି । କୁହାଯାଉଛି, ଗତକାଲି ବୈଠକ ହେବା ପୂର୍ବରୁ ଲିକ୍ ହୋଇ ଯାଇଥିଲା କ୍ୟାବିନେଟ୍ ଏଜେଣ୍ଡା । ରଂଜନା ଚୋପ୍ରା ଛୁଟିରେ ଯିବା ଓ ଏଜେଣ୍ଡା ଲିକ୍ ହେବା ଘଟଣ।।ର କିଛି ସଂପର୍କ ରହିଛି କି, ତାକୁ ନେଇ ଏବେ ଚର୍ଚ୍ଚା ।

ଏ ହେଉଛି, କାଳିଆ ଯୋଜନା ଘୋଷଣା ହେବା ପୂର୍ବରୁ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା କ୍ୟାବିନେଟ୍ ଏଜେଣ୍ଡା । ଚର୍ଚ୍ଚା ହେଉଛି, ବୈଠକ ହେବା ପୂର୍ବରୁ ଏହି ଏଜେଣ୍ଡାର ଡ୍ରାଫ୍ଟ କପି ଲିକ୍ ହୋଇଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହେବା ସହ ତନାଘନା ଆରମ୍ଭ ହୋଇଥିଲା ।

କ୍ୟାବିନେଟ୍ ପ୍ରେସ ବିଜ୍ଞପ୍ତି ଓ ଲିକ୍ ହୋଇଥିବା ଡ୍ରାଫ୍ଟ ଏଜେଣ୍ଡା ଭିତରେ ଅନେକ କିଛି ସମାନତା ଥିଲା, କେବଳ କୃଷି ଋଣ ବାବଦ ତଥ୍ୟକୁ ଛାଡି । ଏପରି ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଡ୍ରାଫ୍ଟ, ପୂର୍ବରୁ ବାହାରକୁ ଆସିବା ଘଟଣାକୁ ସହଜରେ ଗ୍ରହଣ କରିନାହାନ୍ତି ସରକାର । ଚର୍ଚ୍ଚା ହେଉଛି, ଏଇଥିପାଇଁ ରଂଜନା ଚୋପ୍ରା ଛୁଟିରେ ଯାଇଛନ୍ତି, ଆଉ କ୍ରିଷନ କୁମାରଙ୍କୁ ଦିଆଯାଇଛି ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ।