ସରକାରଙ୍କୁ ପିଆଜ ଚିନ୍ତା ! ପିଆଜ ଦର ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରଙ୍କ ତତ୍ପରତା, ଜିଲ୍ଲାପାଳଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ । 

61

ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ସରକାରଙ୍କ ଦୃଢ଼ ପଦକ୍ଷେପ । ଦର ନିୟନ୍ତ୍ରଣ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଯୋଗାଣ ବିଭାଗ । କଣ୍ଟ୍ରୋଲ ବୋର୍ଡ ନିୟମ ଅନୁସାରେ କଳାବଜାରୀ କରୁଥିବା ଦୋକାନୀଙ୍କ ଉପରେ ଚଢାଉ ସହ  କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯେଉଁ ହୋଲସେଲର ଅଧିକ  ପରିମାଣରେ ପିଆଜ ମହଜୁଦ ରଖୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କୁହାଯାଇଛି ।

ବର୍ତ୍ତମାନ ରାଜ୍ୟରେ ପିଆଜ ଦର କିଲୋ ପ୍ରତି ୨୨ ଟଙ୍କା ରହିଛି । ଯାହାକି ଅଗାମୀ ୨ରୁ ୩ ସପ୍ତାହ ମଧ୍ୟରେ ନିୟନ୍ତ୍ରଣକୁ ଆସିଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଭାରତରେ ବର୍ତ୍ତମାନ କେବଳ ନାସିକରୁ ପିଆଜ ମିଳୁଛି । ସୁଚନା ମୁତାବକ ନାସିକ ମଣ୍ଡିରେ ବର୍ତ୍ତମାନ ୧୨ରୁ ୧୪ ଟଙ୍କା ମୂଲ୍ୟ ରହିଥିବାବେଳେ ଅନ୍ୟ ରାଜ୍ୟକୁ ଏହାର ଟ୍ରାନ୍ସପୋର୍ଟ ମୂଲ୍ୟ ଲାଗି ଦର ବୃଦ୍ଧି ହୋଇଛି । ଯେମିତିକି ନାସିକର ମଣ୍ଡି ରେଟ ଅନୁଯାୟୀ ୧୩ରୁ ୧୪ ଟଙ୍କା ପିଆଜ କିଲୋ ପିଛା ରହିଥିବାବେଳେ ତାହା ଓଡିଶାକୁ ଆସିଲାବେଳକୁ ୪ଟଙ୍କା ଟ୍ରାନ୍ସପୋର୍ଟ ଦର ଲାଗି ୧୮ ଟଙ୍କା ହୋଇଯାଉଛି । ଏବଂ ହୋଲସେଲରମାନେ ୧ଟଙ୍କା ମୂଲ୍ୟ ଲଗାଉଥିବା ବେଳେ ଖୁଚୁରା ବ୍ୟବସାୟୀ ୨ରୁ ୩ଟଙ୍କା ମୂଲ୍ୟ ପିଆଜ କିଲୋ ପିଛା  ଲଗାଉଛନ୍ତି  । ଯାହା ମୋଟାମୋଟି ୨୨ଟଙ୍କା ହୋଇଯାଉଛି ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଭାରତର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ପିଆଜର ମୂଲ୍ୟ ବୃଦ୍ଧି ହୋଇଛି । ଯେପରିକି- କିଲୋ ପିଛା: ଦିଲ୍ଲୀରେ- ୩୦ଟଙ୍କା, ଚେନ୍ନାଇ- ୨୫ଟଙ୍କା, ମୁମ୍ବାଇ- ୨୪ଟଙ୍କା, କୋଲକାତା-୨୫ ଟଙ୍କା ଏବଂ ଓଡିଶାରେ ୨୨ ଟଙ୍କା କିଲୋ ପିଛା ରହିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଏବଂ ଖୋଦ ନାସିକର ମଣ୍ଡିକୁ ବାଦ୍ ଦେଲେ ନାସିକରେ ୨୦ ଟଙ୍କା ପିଆଜ କିଲୋ ରହିଛି । ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆନ୍ଧ୍ରରେ ପିଆଜ ଉତ୍ପାଦନ ହେଲେ ମାର୍କେଟର ଅଭାବକୁ ପୂରଣ କରି ମୂଲ୍ୟ ବୃଦ୍ଧିରେ ଲଗାମ ଲଗାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।