ବିଧାନସଭାରେ ଆଗତ ରାଜ୍ୟ ବଜେଟ ! ସରକାରଙ୍କ ପ୍ରଚଳିତ ଯୋଜନାକୁ ଅଧିକ ଗୁରୁତ୍ୱ । ଚାଷୀଙ୍କ ପ୍ରାଇସ କଥା କହିଲେ, ପେନସନ୍ ନେଇ ଚୁପ୍

4

କନକ ବ୍ୟୁରୋ: ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗତକାଲି ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବାର୍ଷିକ ବଜେଟ୍ (୨୦୧୮-୧୯ ଆର୍ଥିକ ବର୍ଷ) ଉପସ୍ଥାପନ କରିଛନ୍ତି । ଗତ ବର୍ଷ ତୁଳନାରେ ବଜେଟରେ ୧୨.୩% ବୃଦ୍ଧି ହୋଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ ୧ଲକ୍ଷ ୬ହଜାର ୯୧୦ କୋଟି ୮୭ଲକ୍ଷ ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିଲା । ମୂଳ ବଜେଟ୍ ପ୍ରସ୍ତାବ ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ପୂର୍ବ ବର୍ଷମାନଙ୍କ ଭଳି ଏକ ପୃଥକ୍ ବଜେଟ୍ ଉପସ୍ଥାପନ କରିଛନ୍ତି । ବ୍ୟୟ ବରାଦରେ ମଧ୍ୟ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ଘଟିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳକୁ ସରକାର ୭ହଜାର ୧୬୨ କୋଟି (୨୦୧୩-୧୪)ରୁ ବଢାଇ ୧୬ ହଜାର ୭୬୫ କୋଟି ଟଙ୍କାରେ ପହଞ୍ଚାଇଛନ୍ତି । ତେବେ ଏକ ବଡ଼ ପରିମାଣର ଅର୍ଥ ଋଣ ଜରିଆରେ ଭରଣା କରିବା ଲାଗି ସରକାର ଯୋଜନା କରିଥିବା ବଜେଟକୁ ନିରେଖି ଦେଖିଲେ ବୁଝାପଡୁଛି ।

ଅର୍ଥମନ୍ତ୍ରୀ କହିଛନ୍ତି, ୨୦୧୮ରେ ବିଶ୍ୱ ଅର୍ଥନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଶା କରାଯାଉଛି । ଚଳିତ ବର୍ଷ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୭.୧୪% ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ୨୦୧୮-୧୯ ବର୍ଷରେ ଓଡ଼ିଶାର ବିକାଶ ପ୍ରକ୍ରିୟା ଆଉ ଟିକିଏ ଦ୍ରୁତ ଗତିରେ ଆଗକୁ ବଢିବ । ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୮%ରୁ ୮.୫% ମଧ୍ୟରେ ରହିବା ସମ୍ଭାବନା ଅଧିକ । ଏହି ସମୟରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର ଟଙ୍କା ହିସାବରେ ମୂଲ୍ୟ ୪ ଲକ୍ଷ ୪୩ ହଜାର ୪୭୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପୂର୍ବବର୍ଷ ଜିଏସଡିପି ପରିମାଣ ୪ ଲକ୍ଷ ୧୫ ହଜାର ୯୮୨ କୋଟି ଟଙ୍କା ଥିଲା ।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ପ୍ରତିଟି ବର୍ଗଙ୍କୁ ଆକର୍ଷିତ କରିବା ଲାଗି ସରକାର ଭରପୂର ଉଦ୍ୟମ କରିଛନ୍ତି। ବଜେଟ୍ରେ ପାଖାପାଖି ୧୯ଟି ନୂଆ କାର୍ଯ୍ୟକ୍ରମ ଓ ଯୋଜନା ଲାଗି ଅର୍ଥ ବରାଦ ହୋଇଛି । ଏସବୁ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିସାରିଛନ୍ତି । ଏହାବ୍ୟତୀତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନାମାନଙ୍କରେ ଅର୍ଥରାଶି ବୃଦ୍ଧି କରାଯାଇଛି । ସେହିଭଳି ଯେଉଁ ସବୁ ପ୍ରସଙ୍ଗ ନିର୍ବାଚନରେ ସରକାରଙ୍କୁ ଅଡୁଆରେ ପକାଇପାରେ, ତାହା ଉପରେ ମୁଖ୍ୟତଃ ଦୃଷ୍ଟି ଦିଆଯାଇଛି । କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ସାମାଜିକ ବିକାଶ, ଗ୍ରାମ୍ୟ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ଓ ନିଯୁକ୍ତିକୁ ବଜେଟରେ ଗୁରୁତ୍ୱ ମିଳିଛି । ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯ ହଜାର ୬୭୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ୬ ହଜାର ୧୬୦ କୋଟି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୩ ହଜାର କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଚିହ୍ନିତ କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୨୨ ହଜାର ୬୮୪ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବଜେଟରେ ବ୍ୟବସ୍ଥା ହୋଇଛି ।

ଚାଷୀ ଆନ୍ଦୋଳନକୁ ପ୍ରତିହତ କରିବା ଲାଗି ବଜେଟରେ କୌଣସି ଠୋସ୍ ଘୋଷଣା କରାଯାଇନାହିଁ । କିନ୍ତୁ କୃଷକମାନଙ୍କର କଲ୍ୟାଣ ପାଇଁ ୨୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବରାଦ ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଅର୍ଥ କେଉଁ ଦିଗରେ ବିନିଯୋଗ ହେବ, ତାହା ପରବର୍ତ୍ତୀ ସମୟରେ ନିର୍ଧାରଣ କରାଯିବ। ସମ୍ଭବତଃ ଚାଷୀଙ୍କୁ ମନାଇବା ପାଇଁ ସରକାର ଏହି ଅର୍ଥ ରଖିଥାଇପାରନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଠାରୁ କେନ୍ଦ୍ରୀୟ ଢାଞ୍ଚାରେ ସରକାର ବଜେଟ୍ ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ ଏଥର ବି ସମୁଦାୟ ବଜେଟକୁ ପ୍ରଶାସନିକ ଖର୍ଚ୍ଚ, କାର୍ଯ୍ୟକ୍ରମ ଖର୍ଚ୍ଚ, ବିପର୍ୟ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ଏହିଭଳି ମୋଟ ୪ ଭାଗରେ ବିଭକ୍ତ କରାଯାଉଛି । ବଜେଟରେ ମୋଟ ରାଜସ୍ୱ ଆୟ ୧ଲକ୍ଷ ୨୦୦ କୋଟି ଟଙ୍କା ହେବ ବୋଲି ଦର୍ଶାଯାଇଥିବା ବେଳେ ୯୦ ହଜାର ୨୨୦ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ଦିଆଯାଇଛି । ତେବେ ମୋଟ ବ୍ୟୟ ଅଟକଳର ବାକି ଅର୍ଥ ଋଣ ଉଠାଇ ଖର୍ଚ୍ଚ କରିବେ ସରକାର । ବର୍ଷ ଶେଷ ବେଳକୁ ୯ହଜାର ୯୮୦ କୋଟି ଟଙ୍କା ରାଜସ୍ୱ ବଳକା (ରାଜସ୍ୱ ଉତ୍ପାଦର ୨.୨୫%) ହେବ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ବିତ୍ତୀୟ ନିଅଣ୍ଟ ଅର୍ଥାତ୍ ଆୟ ତୁଳନାରେ ବ୍ୟୟରେ ଅନ୍ତର ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟ ୩.୫% ମଧ୍ୟରେ ସୀମିତ ରହିବ। ଏଥର ବଜେଟ୍ ସୂଚାଉଛି ଯେ ଏହି ନିଅଣ୍ଟ ରାଶି ୧୫ ହଜାର ୫୨୧ କୋଟି ଟଙ୍କା ଛୁଇଁଯିବ । ବଜେଟ୍ ପ୍ରସ୍ତାବରେ ଆୟ ବୃଦ୍ଧି ପାଇଁ କୌଣସି ନୂଆ ପ୍ରସ୍ତାବ ନାହିଁ । ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କୌଣସି ନୂଆ ଟିକସ ବସାଯିବ ନାହିଁ । ତେବେ ଗତ ଜୁଲାଇ ମାସରେ ଦ୍ରବ୍ୟ ଓ ସେବା କର ଆଇନ ରାଜ୍ୟ ସରକାର ଲାଗୁ କରିଛନ୍ତି । ଜିଏସଟି କ୍ଷତିପୂରଣ ନିମନ୍ତେ ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସଂଗ୍ରହକୁ ମୂଳ ବର୍ଷ ରୂପେ ଗ୍ରହଣ କରି ପ୍ରତିବର୍ଷ ୧୪ପ୍ରତିଶତ ଅଭିବୃଦ୍ଧି ହାରରେ କ୍ଷତିପୂରଣ ନିରୂପଣ ହୋଇଥିବାରୁ ଟିକସ ହାନି ଡ଼ର ନାହିଁ ବା ଏଥିଲାଗି ସରକାର ବିଚଳିତ ନାହାନ୍ତି ।

ଗତକାଲି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି, ପ୍ରତି ଦୁଇମାସରେ ରାଜ୍ୟ ଏ ବାବଦ କ୍ଷତିପୂରଣ ପାଇବ ବୋଲି ସ୍ଥିର ହୋଇଛି। ଏହି କ୍ରମରେ ଏଯାଏ ୧୩୨୬ କୋଟି ଟଙ୍କା ରାଜ୍ୟ ସରକାର ପାଇସାରିଲେଣି। ଖୁବ୍ ଶୀଘ୍ର ଆଉ ଗୋଟିଏ ପର୍ଯ୍ୟୟ ଅର୍ଥ ମିଳିବ। ଜିଏସଟି ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଆକଳନ ହୋଇନଥିବା କାରଣରୁ ବାସ୍ତବରେ ଟିକସ ଉପରେ ଏହାର ନିର୍ଦିଷ୍ଟ କି ପ୍ରଭାବ ପଡିବ, ତାହା ନିରୂପିତ ହୋଇନାହିଁ। ମାତ୍ର ମାସକୁ ପାଖାପାଖି ୩୦୦ରୁ ୩୫୦ କୋଟି ଟଙ୍କା ଯାଏ କ୍ଷତିପୂରଣ ରାଶି ମିଳିବ ବୋଲି ସରକାର ଆଶା ବାନ୍ଧିଛନ୍ତି ।

ସେପଟେ ଖର୍ଚ୍ଚ ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ୨୦୧୮-୧୯ ବର୍ଷରେ ଦରମା ବାବଦରେ ୨୨ ହଜାର ୨୧ କୋଟି, ପେନସନ୍ ବାବଦରେ ୧୧ହଜାର ୯୧୨ କୋଟି, ସୁଧ ବାବଦରେ ୫ ହଜାର ୫୦୦ କୋଟି, ପୁଞ୍ଜି ସଂପତ୍ତି ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ୪୪୦୦ କୋଟି ଏହିଭଳି ମୋଟ ୫୦ ହଜାର ୭୬୧ କୋଟି ପ୍ରଶାସନିକ ଖର୍ଚ୍ଚ କରାଯିବ ।

କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୬୭ ହଜାର କୋଟି ଟଙ୍କା ବରାଦ କରାଯାଇଛି, ଯେଉଁଥିରୁ ସରକାରୀ କ୍ଷେତ୍ର ପାଇଁ ୬୨ ହଜାର କୋଟି ଓ ସରକାରୀ ଉଦ୍ୟୋଗ ପାଇଁ ୫ହଜାର କୋଟି ଟଙ୍କା ବରାଦ କରାଯାଇଛି। ଅର୍ଥାତ୍ ପ୍ରଥମ ଥର ପାଇଁ ସରକାର ମୋଟ୍ ବଜେଟର ଅଧାରୁ ଅଧିକ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ବ୍ୟୟ କରିବା ଲାଗି ଯୋଜନା କରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୧୮୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାବ୍ୟତୀତ ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ୫ ହଜାର ୪୦୨ କୋଟି ଟଙ୍କା ହସ୍ତାନ୍ତର କରାଯିବ । ପୁଞ୍ଜି ଖର୍ଚ୍ଚ ବାବଦରେ ସରକାର ୨୪ ହଜାର ୫୬୭ କୋଟି ଟଙ୍କା ଆକଳନ କରିଛନ୍ତି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ ୫.୫%। ଅତିରିକ୍ତ ଭାବେ ଋଣ ଓ ଅଗ୍ରୀମ, ପୁଞ୍ଜି ସଂପତ୍ତି ନିର୍ମାଣ ପାଇଁ ଅନୁଦାନ ଓ ପୁଞ୍ଜି ସଂପତ୍ତି ସୃଷ୍ଟି ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ମୋଟ ବ୍ୟୟ ବରାଦ ୯ହଜାର ୯୦ କୋଟି ଟଙ୍କା ରହିଛି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ୨.୧%। ଏଥିସହିତ ବଜେଟରେ ଉନ୍ନୟନଗତ ଖର୍ଚ୍ଚ ମୋଟ ବଜେଟ୍ ଅଟକଳର ୭୦%ରୁ ଅଧିକ ରହିଛି ବୋଲି ଅର୍ଥ ବିଭାଗ ଦାବି କରିଛି।

ରାଜସ୍ୱ ପ୍ରାପ୍ତି ସଂପର୍କରେ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ନିଜସ୍ୱ ଓ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଆଦି ମିଶାଇ ମୋଟ ୧ଲକ୍ଷ ୨୦୦ କୋଟି ଟଙ୍କା ମିଳିବ। ଏଥିରୁ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ବାବଦକୁ ୩୬ ହଜାର ୫୮୬ କୋଟି, ରାଜ୍ୟର ନିଜସ୍ୱ ଟିକସ ୨୮ ହଜାର ୫୫୦ କୋଟି ଟଙ୍କା, ନିଜସ୍ୱ ଅଣ ଟିକସ ବାବଦରେ ୧୦ହଜାର ୩୦୦ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୪ ହଜାର ୭୬୪ କୋଟି ଟଙ୍କା ମିଳିବ। ଅର୍ଥାତ୍ ନିଜସ୍ୱ ଟିକସ ଓ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୬.୪୪% ହେବ।

ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ସରକାର ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୭୮କୋଟି ଟଙ୍କାର ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୋଲା ବଜାରରୁ ପ୍ରାୟ ୧୨ହଜାର ୦୩୨ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୭-୧୮ ବର୍ଷରେ ଖୋଲା ବଜାରରୁ ୧୦ ହଜାର ୨୭୩ କୋଟି ଟଙ୍କା ଋଣ ଉଠାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ସମୁଦାୟ ଋଣର ଭାଗ ୨୦.୭୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଜାନୁଆରି ଶେଷ ସୁଦ୍ଧା ୮ହଜାର ୪୯୧ କୋଟି ଟଙ୍କା ଋଣ ଉଠାଯାଇଛି । ଆସନ୍ତା ବର୍ଷ ଶେଷ ବେଳକୁ ରାଜ୍ୟର ମୋଟ ଋଣ ପରିମାଣ (ଜାନୁଆରି ଶେଷ ସୁଦ୍ଧା ୬୮ ହଜାର ୯୨୫ କୋଟି ଟଙ୍କାକୁ ମିଶାଇ) ୮୦ ହଜାର ୯୫୭ କୋଟି ( ମୋଟାମୋଟି ୮୧ହଜାର କୋଟି) ଟଙ୍କା ଛୁଇଁଯାଇଥିବା ସମ୍ଭାବନା ଅଧିକ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନ୍କାନ୍ତ ପାଣ୍ଡେ ଯୁକ୍ତି ଦର୍ଶାଇଛନ୍ତି, ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍ ହେବା ଆବଶ୍ୟକ। ଏହା ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ୨୦.୭୩% ଛୁଇଁପାରେ।
ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଅର୍ଥ ସଚିବ କହିଛନ୍ତି, ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁସାରେ ବକେୟା ପ୍ରାପ୍ୟର ୪୦% ସରକାର ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ଦେବାକୁ ସ୍ଥିର କରିଛନ୍ତି। ଏଥିରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ କର୍ମଚାରୀ, ପେନସନ୍ ଭୋଗୀ ବି ସାମିଲ ଅଛନ୍ତି । ଏ ବାବଦରେ ହାରାହାରି ୪ହଜାର କୋଟି ଖର୍ଚ୍ଚ ହେବ, ଯାହା ପାଇଁ ବଜେଟରେ ଅର୍ଥ ବରାଦ ଅଛି।

Comments are closed.