ନିବେଶକଙ୍କୁ ଓଡ଼ିଶାରେ ପୁଂଜି ନିବେଶ ଲାଗି ନବୀନଙ୍କ ଆହ୍ୱାନ :କହିଲେ, ଓଡ଼ିଶାରେ ପୁଂଜିନିବେଶ କର, ସବୁଠୁ ଅଧିକ ସୁବିଧା ସୁଯୋଗ ମିଳିବ

42

କନକ ବ୍ୟୁରୋ : ଓଡ଼ିଶାରେ ପୁଂଜିନିବେଶ କର, ସବୁଠୁ ଅଧିକ ସୁବିଧା ସୁଯୋଗ ମିଳିବ । ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟି ଏପରି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ମାସରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବା ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଇନଭେଷ୍ଟର ମିଟରେ ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ଭେଟିଛନ୍ତି ନବୀନ । ଚଳିତ ବର୍ଷର ଥିମ୍ ରହିଛି ‘ଆଇ ଆମ୍ ଓଡିଶା’ । ଅର୍ଥାତ୍ ‘ଓଡ଼ିଶା’କୁ ଶିଳ୍ପର ଏକ ବ୍ରାଣ୍ଡକୁ ପରିଣତ କରିବାକୁ ଭରପୁର ଉଦ୍ୟମ କରିଛନ୍ତି ରାଜ୍ୟ ସରକାର ।

ନଭେମ୍ବରରେ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଦ୍ୱିତୀୟ ସଂସ୍କରଣ । ଅଫିସିଆଲ ପାର୍ଟନର ଭାବେ ସିଆଇଆଇ ଓହରିଯିବା ପରେ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ନିଜେ ଅଂଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇଠାରେ ନିବେଶକଙ୍କୁ ଭେଟି ଭୁବନେଶ୍ୱର ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି ।

ନବୀନ କହିଛନ୍ତି – ଓଡିଶାରେ ପୁଂଜି ନିବେଶ କରନ୍ତୁ, ରାଜ୍ୟ ସରକାର ଏପରି ସୁବିଧା ସୁଯୋଗ ଯୋଗାଇଦେବେ, ତାହା ଅନ୍ୟ କେଉଁଠି ମିଳିବ ନାହିଁ । ଓଡିଶାରେ ପର୍ଯ୍ୟାପ୍ତ ଉତ୍ପାଦନ ସୁବିଧା ରହିଛି ଏବଂ ପୁଂଜି ନିବେଶ ପାଇଁ ସବୁଠାରୁ ଭଲ ପରିବେଶ ରହିଛି ବୋଲି ମୁମ୍ବାଇରେ ଅନୁଷ୍ଠିତ ‘ଇନଭେଷ୍ଟର ମିଟ୍’ କାର୍ଯ୍ୟକ୍ରମରେ ଶିଳ୍ପପତିମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଓ ଫିକି ଇଣ୍ଡିଆର ଚେୟାରମ୍ୟାନ୍ ଯଶପାଲ ବିନ୍ଦ୍ରାଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିବା ସହ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ୨୦୧୮ ମେକ୍ ଇନ୍ ଓଡିଶା ପାଇଁ ୱେବସାଇଟ୍ ଲଂଚ୍ କରାଯାଇଛି ।

nabin

ଓଡ଼ିଶାରେ ନିବେଶ କଲେ କି କି ଫାଇଦା ମିଳିବ –

ନିବେଶକଙ୍କୁ ମିଳିବ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ – ଅର୍ଥାତ୍ କାରଖାନା ବସାଇବା ପାଇଁ ବିଭିନ୍ନ ଦପ୍ତରକୁ ଦୌଡ଼ିବାକୁ ପଡିବ ନାହିଁ ।

ଓଡ଼ିଶାରେ ରହିଛି ପାରାଦୀପ ଭଳି ବୃହତମ ବନ୍ଦର, ଧାମରା ବନ୍ଦର ମଧ୍ୟ ରହିଛି

ଗଭୀର-ଜଳ ବନ୍ଦର ସହ ପୂର୍ବ-ଉପକୂଳ ଅର୍ଥନୈତିକ କରିଡର

କେନ୍ଦ୍ରାପଡ଼ା ଜିଲ୍ଲାରେ ହେବାକୁ ଯାଉଛି ପ୍ରଥମ ନଦୀ-ଭିତ୍ତିକ ବନ୍ଦର ପ୍ରକଳ୍ପ, ଯାହା ବର୍ଷକୁ ୪୫ ମିଲିୟନ ଟନ୍ ପଣ୍ୟ ପରିବହନ କରିପାରିବ

୨୦୨୦ ସୁଦ୍ଧା ୩ଟି ପ୍ରମୁଖ ‘ଷ୍ଟାର୍ଟ-ଅପ୍ ହବ’ ମଧ୍ୟରେ ସ୍ଥାନ ପାଇବ ଓଡ଼ିଶା

‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଭୁବନେଶ୍ୱରରେ ହେଉଛି ‘ୱାଲ୍ଡ ସ୍କିଲ୍ ସେଂଟର’


୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ ।