ଆଜିଠାରୁ ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ । ୩୦ ପ୍ରତିଶତ ବଦଳରେ ସମସ୍ତ କର୍ମଚାରୀ ଅଫିସ ଆସିବାକୁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା । ଥଣ୍ଡା କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲେ ଛୁଟିରେ ରହିବାକୁ ନିର୍ଦ୍ଦେଶ ।

237

କନକ ବ୍ୟୁରୋ : ସରକାରୀ କାର୍ଯ୍ୟାଳୟକୁ ଯିବେ ସମସ୍ତ କର୍ମଚାରୀ । ସରକାରୀ ଅଫିସକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଏବେ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ କର୍ମଚାରୀ ଅଫିସ ଯିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଚିଠିରେ କୁହାଯାଇଛି ମେ ୧୯ ଅର୍ଥାତ ଆଜିଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ । ତେବେ କର୍ମଚାରୀମାନେ ଅଫିସରେ ଯେଭଳି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ଯତ୍ନବାନ ହେବାକୁ କୁହାଯାଇଛି ।

ସମସ୍ତ ବିଭାଗ ପାଇଁ କିଛି ନିୟମ ମଧ୍ୟ ଜାରି କରାଯାଇଛି । ଯଦି କେହି କର୍ମଚାରୀଙ୍କର ଥଣ୍ଡା ଜନିତ ସମସ୍ୟା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ଥାଏ ତେବେ ସେ ଅଫିସ ନଆସି ଛୁଟିରେ ରହିବେ । ସେହିପରି କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳରୁ କେହି କର୍ମଚାରୀ ଅଫିସ ଆସିପାରିବେ ନାହିଁ । ଅଫିସର ସର୍ବୋଚ୍ଚ ଅଧିକାରୀ କାର୍ଯ୍ୟାଳୟ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବେ ।