୯ଟି ଜିଲ୍ଲା ପାଇଁ ନବୀନ ସରକାରଙ୍କ ନୂଆ ଯୋଜନା ! ଆଦିବାସୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ

34

କନକ ବ୍ୟୁରୋ : ଜନଜାତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଆଜି ଗଠନ ହୋଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ୯ଟି ଜିଲ୍ଲାରେ ୯ଟି ଉନ୍ନୟନ ପରିଷଦକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଜନଜାତି ଅଧ୍ୟୁଷିତ ଜିଲ୍ଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ୍, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଏହି ପରିଷଦରେ ୧୧୭ଟି ବ୍ଳକର ୧୪ ଲକ୍ଷ ଜନଜାତି ପରିବାର ଅନ୍ତର୍ଭୁକ୍ତ ହେବେ । ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟାଳୟ ରହିବ ।

ପରିଷଦର ଅଧ୍ୟକ୍ଷଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ଦିଆଯିବ । ଉପାଧ୍ୟକ୍ଷଙ୍କୁ ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଜିଲ୍ଲା ପରିଷଦର ସଦସ୍ୟର ମର୍ଯ୍ୟାଦା ମିଳିବ । ପରିଷଦର ସଦସ୍ୟଙ୍କ କାର୍ଯ୍ୟକାଳ ଅବଧି ୨ ବର୍ଷ ରହିବ । ଏହି ପରିଷଦ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ସହ ଜନଜାତି ଭାଷା ଓ ସଂସ୍କୃତିକୁ ସଂମୃଦ୍ଧ କରିବା ପାଇଁ କାର୍ଯ୍ୟ କରିବ । ବିକାଶ ବ୍ୟବସ୍ଥା ସହ ପରିଚୟ କରିବା ଲାଗି ସେମାନଙ୍କୁ ବାହାରକୁ ବୁଲାଇବା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବ । ଜନଜାତି ସାଧନ କ୍ଷେତ୍ରଗୁଡିକ ଚିହ୍ନଟ କରିବା ସହ ସ୍ୱକୀୟ ଜ୍ଞାନକୌଶଳ ଓ ସଂସ୍କୃତି ବିନିଯୋଗରେ ଜୀବୀକା ନିର୍ବାହ ପାଇଁ ଉନ୍ନତ ବାତାବରଣ ସୃଷ୍ଟି କରାଯିବ । ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସ୍ଥାନୀୟ ସାଧନକୁ ଭରପୂର ବିନିଯୋଗ କରିବ ପରିଷଦ ।