ପିସି ନେଉଛନ୍ତି କିଏ ? ବିଧାନସଭାରେ ସରକାର ଦେଲେ କଳାଟଙ୍କା ନେଉଥିବା କର୍ମଚାରୀଙ୍କ ତାଲିକା

41

କନକ ବ୍ୟୁରୋ :  ପିସି କାରବାର ରୋକିବା ପାଇଁ କନକ ନ୍ୟୁଜର ଅଭିଯାନ ପରେ ଆସାଧୁ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁୂଷ୍ଠାନ ନେଇ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତ ଜୁନ ୨୧ ତାରିଖ ଦିନ ସବୁ ଜିଲ୍ଲାକୁ ପଠାଇଦିଆଯାଇଥିଲା ନିର୍ଦ୍ଦେଶନାମା । ବିଧାନସଭାରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଛନ୍ତି ପିସି ରିପୋର୍ଟ । ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ମହାରଥୀ ଦେଇଛନ୍ତି ଲାଂଚ କାରବାର ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ । ମହାରଥୀଙ୍କ ରିପୋର୍ଟ କହୁଛି ଗତ ୫ ମାସ ଭିତରେ ପଂଚାୟତିରାଜ ବିଭାଗର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୨୫୮ ଜଣ ଅଧିକାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ସବୁଠାରୁ ବିଡମ୍ବନା କଥା ହେଉଛି, ପିସି କାରବାରର ଭୂସ୍ୱର୍ଗ ପାଲଟିଛି ବ୍ଲକ କାର୍ଯ୍ୟାଳୟ , ହେଲେ ବିଡିଓମାନେ ସାଧୁ । ଏକଥା ଆମେ କହୁନୁ, ବିଭାଗୀୟ ମନ୍ତ୍ରୀ ହିଁ ବିଧାନସଭାରେ ବିଡିଓଙ୍କୁ ଦେଇଛନ୍ତି କ୍ଲିନଚିଟ୍ । ଲାଂଚ ନେଉଥିବା ୪୮ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ସରକାର । ମାତ୍ର ସେହି ତାଲିକାରେ ନାହାନ୍ତି ଜଣେ ହେଲେ ବିଡିଓ । କେବଳ ନୂଆପଡ଼ାର ଜଣେ ବିଡିଓକୁ ସୋ-କଜ୍ ନୋଟିସ ଦିଆଯାଇଛି । ତେବେ ପଂଚାୟତ ଏକ୍ସଟେନସନ୍ ଅଫିସରଙ୍କୁ ଲାଂଚର ଖଳନାୟକ ସଜାଇଛି ବିଭାଗ ।

ସର୍ବାଧିକ କେନ୍ଦ୍ରାପଡ଼ାରେ ୧୨ ଜଣ ସସପେଣ୍ଡ୍ ହୋଇଥିବା ବେଳେ ନୂଆପଡ଼ାରେ ୧୧ ଜଣ ନିଲମ୍ବିତ ହୋଇଛନ୍ତି । ତେବେ ଆଉ ଏକ ଆଶ୍ଚର୍ଯ୍ୟ କରୁଥିବା ତଥ୍ୟ ହେଉଛି ୩୦ ଜିଲ୍ଲା ମଧ୍ୟରୁ ୯ଟି ଜିଲ୍ଲାରେ ଆଦୌ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଅର୍ଥାତ୍ ସରକାରୀ ରିପୋର୍ଟ ଅନୁସାରେ ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ପିସି ଦିଆନିଆ ନାହିଁ ।