କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ୨୨୨ କୋଟି ଟଙ୍କାର ବୋନସ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

335

କନକ ବ୍ୟୁରୋ: କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ୨୨୨ କୋଟି ଟଙ୍କାର ବୋନସ୍ । ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସଂପୃକ୍ତ ଥିବା ତୋଳାଳୀ, ବନେ୍ଧଇ ଶ୍ରମିକ ଓ ସାମୟିକ କର୍ମଚାରୀ ମାନଙ୍କୁ ୨୨୨ କୋଟି ଟଙ୍କା ବୋନସ୍ ଓ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦୁପତ୍ର ଉନ୍ନୟନ ବୋର୍ଡର ବୈଠକରେ ନିଷ୍ପତି ହୋଇଛି ।

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଯେ, ରାଜ୍ୟରେ ବର୍ତ୍ତମାନ ୮ଲକ୍ଷ ୫୨ ହଜାର କେନ୍ଦୁପତ୍ର ତୋଳାଳୀ, ୨୦ ହାଜର ୬୫୦ ବନେ୍ଧଇ ଶ୍ରମିକ ଓ ୧୭, ୮୬୦ ସାମୟିକ କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁପତ୍ର ବ୍ୟବସାୟ ଦ୍ୱାରା ଏମାନଙ୍କ ପାଇଁ ବର୍ଷକୁ ୧ କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଉଛି । ତେଣୁ ରାଜ୍ୟରେ ସାମୁହିକ ବିକାଶରେ କେନ୍ଦ୍ରପତ୍ର ବ୍ୟବସାୟର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଯେଉଁଥି ପାଇଁ ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହା ବିଶେଷ ସହାୟକ ହୋଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯିବା ସହିତ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଅଂଶୀଦାର ଭାବେ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି କେନ୍ଦୁପତ୍ର ତୋଳାଳୀ, ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ କରୁଛନ୍ତି । ତୋଳୀମାନଙ୍କ ପାଇଁ କ୍ୟାରୀ ସଂଗ୍ରହ ପୋଷାକ, ଚପଲ, ଶ୍ରମିକଙ୍କ ପାଇଁ ମଶୁରୀ ଓ କମ୍ବଳ ଆଦି କଲ୍ୟାଣକାରୀ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କହିଛନ୍ତି ନବୀନ ।