ଯୁକ୍ତ୨ ନାମଲେଖା ପୂର୍ବରୁ ସରକାରଙ୍କ ସତର୍କ ସୂଚନା : ନକଲି ଶିକ୍ଷାନୁଷ୍ଠାନ ପ୍ରତି ସାବଧାନ ରହିବାକୁ ଦେଲେ ପରାମର୍ଶ, ଅଫଲାଇନରେ ନାମ ଲେଖାଇବା ପାଇଁ ମନା

75

କନକ ବ୍ୟୁରୋ : ନକଲି କଲେଜ କର୍ତ୍ତୃପକ୍ଷ ସାବଧାନ। ଆଉ ଛାତ୍ରଛାତ୍ରୀଙ୍କୁ ଠକି ପାରିବେ ନାହିଁ କି କୋଟି କୋଟି ଟଙ୍କା ହଡ଼ପ କରିପାରିବେ ନାହିଁ। ଗତ କିଛି ବର୍ଷ ହେଲା ପରୀକ୍ଷା ସମୟରେ ନକଲି କଲେଜ ପଦାକୁ ଆସୁଥିବାରୁ ଏଥର ୨୦୧୮-୧୯ ଶିକ୍ଷାବର୍ଷ ପୂର୍ବରୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ସଚେତନ କରାଇବା ସହ ସାମସ(ଷ୍ଟୁଡେଣ୍ଟ୍ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍) ପଞ୍ଜୀକୃତ ହୋଇ ନ ଥିବା ଜୁନିଅର୍ କଲେଜରେ ନାମ ନ ଲେଖାଇବାକୁ ପରାମର୍ଶ ଦିଆଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ନକଲି ବିଜ୍ଞପ୍ତିକୁ ବିଶ୍ୱାସ ନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

୨୦୧୮-୧୯ରେ ଉଚ୍ଚ ମାଧ୍ୟମିକ ସ୍କୁଲର ଏକାଦଶ ଶ୍ରେଣୀ ତଥା ଯୁକ୍ତ୨ କଲେଜ ପାଇଁ ନାମଲେଖା କରାଇବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଯୁକ୍ତ୨ କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ଉପଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ ଏଥର ଅନଲାଇନରେ ନାମଲେଖା ହେବ। ଅଫ୍ଲାଇନରେ କୌଣସି ପ୍ରକାର ନାମଲେଖା ହେବ ନାହିଁ। ଛାତ୍ରଛାତ୍ରୀ କେବଳ ଅନଲାଇନରେ ଆବେଦନ କରିପାରିବେ। ନାମଲେଖା ପୂର୍ବରୁ ଛାତ୍ରଛାତ୍ରୀ ୱେବସାଇଟ ‘www.sme.odisha.gov.in’ ଓ ‘www.samsodisha.gov.in’ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ।

ଗଣଶିକ୍ଷା ବିଭାଗ ନଜରକୁ ଆସିଛି ଯେ ସରକାରଙ୍କଠାରୁ ସ୍ୱୀକୃତି ପାଇ ନ ଥିବା କେତୋଟି ନକଲି ଅନୁଷ୍ଠାନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରି ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଏଭଳି ୨୦ରୁ ଅଧିକ କଲେଜ ବିଭାଗର ଦୃଷ୍ଟିକୁ ଆସିଛି। ପରୀକ୍ଷା ସମୟରେ ନକଲି ଶିକ୍ଷାନୁଷ୍ଠାନ ସମ୍ପର୍କରେ ଜଣାପଡ଼ୁଛି। ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ନାମଲେଖା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୱେବସାଇଟରେ ସାମସ ପଞ୍ଜୀକୃତ ଯୁକ୍ତ୨ କଲେଜକୁ ଯାଞ୍ଚ କରି ନକଲି ଅନୁଷ୍ଠାନରୁ ଦୂରେଇ ରହିବାକୁ କୁହାଯାଇଛି। ଯଦି କୌଣସି କାରଣରୁ ପଞ୍ଜୀକୃତ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେହି ନାମ ଲେଖାନ୍ତି ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷା ଦେବାକୁ ବଞ୍ଚିତ ହେବେ। ଏଥିପାଇଁ ସରକାର ଦାୟୀ ରହିବେ ନାହିଁ ବୋଲି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

ସେହିପରି ଯେଉଁ ଛାତ୍ରଛାତ୍ରୀ ସାମ୍ସରେ ଅନଲାଇନରେ ନାମ ଲେଖାଇବେ ନାହିଁ ସେମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷା ଦେଇପାରିବେ ନାହିଁ। କାରଣ ସାମସ ଓ୍ଵବସାଇଟରେ ଅପଲୋଡ ହୋଇଥିବା ତଥ୍ୟ ଅନୁଯାୟୀ ସିଏଚଏସଇରେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଓ ପରୀକ୍ଷା ପାଇଁ ଫର୍ମ ପୂରଣ ହୋଇଥାଏ। ସରକାରଙ୍କଠାରୁ ସ୍ୱୀକୃତି ପାଇ ନ ଥିବା ଶିକ୍ଷାନୁଷ୍ଠାନ ଯଦି ଅଫଲାଇନରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସ୍ୱୀକୃତିପ୍ରାପ୍ତ କୌଣସି ଯୁକ୍ତ୨ କଲେଜରେ ଯଦି ଛାତ୍ରଛାତ୍ରୀ ଅଫଲାଇନରେ ନାମ ଲେଖାଇବେ, ସେମାନଙ୍କ ସ୍ୱୀକୃତି ପ୍ରତ୍ୟାହୃତ କରାଯିବ। ଏଥିସହ ବିଭାଗୀୟ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଉଭୟ ଶିକ୍ଷାନୁଷ୍ଠାନ ଓ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଗତ ଦୁଇ ଦିନ ହେଲା ଯୁକ୍ତ୨ ନାମଲେଖା ନେଇ ସୋସିଆଲ୍ ମିଡ଼ିଆରେ ଏକ ବିଜ୍ଞପ୍ତି ଭାଇରାଲ୍ ହୋଇଛି। ଏଥିରେ ଉଲ୍ଲେଖ ରହିଛି ଯେ ମେ’ ୨୧ରୁ ଯୁକ୍ତ୨ କଲେଜ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍ ସିଲ୍ କହିଛନ୍ତି ଯେ ଯେଉଁ ବିଜ୍ଞପ୍ତି ଭାଇରାଲ୍ ହୋଇଛି ତାହା ନିର୍ଦ୍ଦେଶାଳୟ ଷ୍ଟିୟରିଂ କମିଟିର ଏକ ପ୍ରସ୍ତାବ। ଗତବର୍ଷର ନାମଲେଖା ତାରିଖ ଅନୁଯାୟୀ ଏଥର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ତାହାକୁ କେହି ଭାଇରାଲ୍ କରିଛନ୍ତି। ଏପର୍ଯ୍ୟନ୍ତ ପ୍ରସ୍ତାବକୁ ସ୍ୱୀକୃତି ମିଳି ନ ଥିବା ସେ କହିଛନ୍ତି।