କେମିତି ଅଛି ‘ସୁନ୍ଦରୀ’ ? ସାତକୋଶିଆରେ ବନ୍ଧା ପଡ଼ିଛି ବାଘୁଣୀର ଭାଗ୍ୟ, ଚିଠି ଲେଖି ଓଡ଼ିଶାକୁ ଜବାବ ମାଗିଲା ମଧ୍ୟପ୍ରଦେଶ ।

268

କନକ ବ୍ୟୁରୋ : କେମିତି ଅଛି ସୁନ୍ଦରୀ ? ଚିଠି ଲେଖି ଜବାବ ମାଗିଲା ମଧ୍ୟପ୍ରଦେଶ । ସୁନ୍ଦରୀକୁ ଜଙ୍ଗଲରେ ଛଡ଼ା ଯିବ କି ନାହିଁ ସେନେଇ ମଧ୍ୟ ତର୍ଜମା କରିବାକୁ ଅନୁରୋଧ କରିଛି ମଧ୍ୟପ୍ରଦେଶ ବନବିଭାଗ । ଏ ସଂପର୍କରେ ଖୁବ୍ ଶୀଘ୍ର ରିପୋର୍ଟ ଦେବ ଓଡ଼ିଶା । ଆଉ ଏହି ଚିଠି ଦିଆନିଆ ଭିତରେ ସାତକୋଶିଆର ଛୋଟିଆ ଏନକ୍ଳୋଜର ଭିତରେ ବନ୍ଧା ପଡ଼ିଛି ବାଘୁଣୀ ସୁନ୍ଦରୀର ଭାଗ୍ୟ ।

ବନ୍ଧା ପଡିଛି ବାଘୁଣୀ । ଚାଲିଛି ଚିଠି ଲେଖା । ଓଡିଶା ସରକାରଙ୍କୁ ମଧ୍ୟପ୍ରଦେଶ ଲେଖିଥିବା ଚିଠିରେ ବନ୍ଦୀ ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା, ବ୍ୟବହାର ସହ ତାକୁ ନୀରିକ୍ଷଣ କରିବାର ପଦ୍ଧତି ବିଷୟରେ ଜଣାଇବାକୁ କୁହାଯାଇଛି । ଏହା ସହିତ ତାକୁ ଜଙ୍ଗଲରେ ଛାଡି ହେବ କି ନାହିଁ ସେ ନେଇ ତର୍ଜମା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ଏମପି ସରକାର । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଗତ ଡିସେମ୍ବର ମାସରେ ନିର୍ଦ୍ଦେଶ ଦେବା ପରେ ତୁରନ୍ତ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ଫେରେଇନେବାକୁ ମଧ୍ୟପ୍ରଦେଶ ବନବିଭାଗକୁ ଜଣାଇଥିଲେ ଓଡିଶା ସରକାର ।

କୁହାଯାଉଛି ପ୍ରବୃତିରେ ପରିବର୍ତନ ପରେ ବାଘୁଣୀ ସୁନ୍ଦରୀକୁ ଫେରାଇନେବାକୁ ଚାହୁଁନି ମଧ୍ୟପ୍ରଦେଶ । ସେଠିକାର ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ଚିଠି ଲେଖି ଚୁପ ବସିଛି ମଧ୍ୟପ୍ରଦେଶ । ଏପଟେ ସୂଚନା ଅନୁସାରେ ୨୦ ଦିନ ପରେ ମଧ୍ୟ ଚିଠିର ଉତ୍ତର ଦେଉନି ରାଜ୍ୟ ବନବିଭାଗ ।

ତେଣୁ ଦୋଛକିରେ ଅଟକି ରହିଛି ବାଘୁଣୀର ଭାଗ୍ୟ ଓ ଭବିଷ୍ୟତ । ତୁରନ୍ତ ସୁନ୍ଦରୀର ଥଇଥାନ କରିବାକୁ ଉଦବେଗ ମଧ୍ୟ ପ୍ରକାଶ ପାଇଛି । ଯଦି ମଧ୍ୟପ୍ରଦେଶ ବାଘୁଣୀକୁ ଫେରେଇ ନେବାକୁ ରାଜି ନୁହେଁ ତେବେ ସାତକୋଶିଆ ବଦଳରେ ତାକୁ ନନ୍ଦନକାନନକୁ ନେବା ପାଇଁ ମଧ୍ୟ ଚିନ୍ତା କରାଯାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ, ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନ ଓ ରାଜ୍ୟ ବନବିଭାଗ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ କରାଯାଇଥିବା ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତର ପ୍ରକଳ୍ପର ଗୋଟିଏ ପ୍ରକାର ଅନ୍ତ ଘଟିଛି । ତେଣୁ ଏବେ ବିଫଳତାକୁ ପଛରେ ପକାଇ ବାଘୁଣୀ ସୁନ୍ଦରୀର ଥଇଥାନ ତୁରନ୍ତ କରିବାକୁ ସମସ୍ତେ ଚିନ୍ତା କରିବାକୁ ଦାବି ଉଠିଛି ।