କନକ ବ୍ୟୁରୋ : ମହାନଦୀକୁ ନେଇ ଅନେକ ତୁମ୍ବିତୋଫାନ ଲାଗି ରହିଛି । ଓଡ଼ିଶାର ଲାଇଫଲାଇନ କୁହାଯାଉଥିବା ମହାନଦୀକୁ ଆରମ୍ଭ ହୋଇଛି ରାଜନୀତି । କିନ୍ତୁ ଏସବୁ ଭିତରେ ଶୁଖିଲା ମହାନଦୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ । ସମ୍ବୁଲପୁରରେ ମହାନଦୀର ସୁଖିଲା ପଠା ଦେଖି ଏହାର ସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଚିଠି ଲେଖିଛନ୍ତି ସମ୍ବଲପୁରର ଜଣେ ଛାତ୍ରୀ ।

ସମ୍ବଲପୁର ପ୍ରଧାନପାଲିର ଅମ୍ରିତା ପଟେଲ ଦଶମ ଶ୍ରେଣୀ ଛାତ୍ରୀ ସମଲେଶ୍ୱରୀ ମନ୍ଦିର ଆସିଥିବା ବେଳେ ମହାନଦୀର ସ୍ଥିତି ଦେଖି ଦୁଃଖ ପ୍ରକାଶ କରିଥିଲେ । ଛୋଟ ବେଳୁ ଯେଉଁ ପାଣି ଭରା ମହାନଦୀକୁ ଦେଖୁଥିଲେ ତାର ଶୁଖିଲା ଅବସ୍ଥା ଦେଖି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି । ଚିଠିରେ ପ୍ରଧାନମନ୍ତ୍ରୀ ନିଜେ ମହାନୀଦ ଜଳ ବିବାଦ ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହାର ସମାଧାନ କରିବା ସବ ମହାନଦୀକୁ ତାର ପୂର୍ବ ଅବସ୍ଥା ଫେରାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

ସେହିଭଳି ଆଜି ସମ୍ବଲପୁରର ସମଲେଇ ଘାଟରୁ ଆରମ୍ଭ ହୋଇଛି ମହାନଦୀ ସବୁଜ ଅଭିଯାନ । ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମିଶନ ଗ୍ରୀନ ମହାନଦୀ । ଏହି ମିଶନରେ ମହାନଦୀର ଅବବାହିକାରେ ୧କିମି ଭିତରେ ସବୁଜ ବଳୟ ସୃଷ୍ଟି କରାଯିବ । ନଦୀର ଜଳସ୍ତର ଓ ଗଭୀର ଜଳସ୍ତର କିପରି ବୃଦ୍ଧି ପାଇବ ସେନେଇ ଉଦ୍ୟମ କରାଯାଉଛି । ବର୍ଷାଦିନେ ନଦୀବନ୍ଧର ମାଟି ଯେମିତି ମହାନଦୀ ଗର୍ଭକୁ ନଯାଇ ଗଭୀରତା ବଜାୟ ରହିବ ତାହା ହିଁ ଏହି ମିଶନର ଉଦେଶ୍ୟ । ଓଡିଶାରେ ୨୦ହଜାର ହେକ୍ଟର ମହାନଦୀ କୂଳରେ ୨କୋଟି ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ମହାନଦୀ ଓଡିଶାକୁ ପ୍ରବେଶ କରିଥିବା ଅଂଚଳରେ ମହାନଦୀ ବନ୍ଧର ଉଭୟ ପାଶ୍ୱର୍ରେ ଗଛ ଲଗାଯିବ ।