ଶାନ୍ତି ପାଇଁ ଶୁଭସ୍ମିତାର ନାଁ: ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ କେନ୍ଦ୍ରାପଡାର କୁନି ଝିଅ ମନୋନୀତ

806

କନକ ବ୍ୟୁରୋ: ଶାନ୍ତି ପାଇଁ ଶୁଭର ନାଁ । ଶାନ୍ତି ପୁରସ୍କାର ପାଇଁ ଶୁଭସ୍ମିତାର ନାଁ । ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡିଶାର ଝିଅ ଶୁଭସ୍ମିତା ତ୍ରିପାଠୀ । ଆଉ ପୁରସ୍କାର ପାଇଁ ମନୋନୀତ ହେବା ପରେ ଏବେ କେନ୍ଦ୍ରାପଡାର କୁନି ଝିଅ ଶୁଭସ୍ମିତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ।

ରାଜନଗର ବ୍ଲକ ପେଣ୍ଠ ଗାଁର ୧୩ ବର୍ଷ ବୟସର ଶୁଭସ୍ମିତା ପିଲାବେଳୁ ପାଠରେ ଯେମିତି ସାଠରେ ବି ସେମିତି । ଅଷ୍ଟମ ଶ୍ରେଣୀରେ ପଢୁଥିବା ଶୁଭ ସ୍କୁଲରେ ଭଲ ପଢୁଥିଲେ ବି ତାର କୌଣସି ସାଙ୍ଗ ନଥିଲେ । ଅଭାବ, ଅନଟନ ପାଇଁ ଗାଁର ଅନେକ ସାଙ୍ଗ ପାଠ ପଢାରେ ଡୋରୀ ବାନ୍ଧିଥିଲେ । ଆଉ ସ୍କୁଲ ନଯାଇ ବିଲବାଡିରେ କାମ କରୁଥିଲେ, ଛେଳିମେଣ୍ଢା ଚରାଇ ଦିନ ବିତାଉ ଥିଲେ । ଯାହା ଶୁଭସ୍ମିତାକୁ ବ୍ୟଥିତ କରିଥିଲା ଆଉ ସେ ସେମାନଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ସଙ୍କଳ୍ପ ନେଇଥିଲା ।

ପାଠ ପଢା ଛାଡିଦେଇଥିବା ପିଲାଙ୍କୁ ଓ ତାଙ୍କ ବାପାମାଆଙ୍କୁ ଶିକ୍ଷାର ଆବଶ୍ୟକତା ସଂମ୍ପର୍କରେ ଅବଗତ କରିଥିଲା ଶୁଭ । ଜୀବନରେ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଅଭିଭାବକଙ୍କୁ ବୁଝାଇ ଅନେକ ପିଲାଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବାରେ ସଫଳ ହୋଇଛି ଶୁଭ । ଯେଉଁଥିପାଇଁ ତାକୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଖାଲି ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ସାରା ପେଣ୍ଠରେ ଏବେ ଚର୍ଚ୍ଚାରେ ଶୁଭସ୍ମିତା । ସାଙ୍ଗସାଥିଙ୍କ ସହ ବିଦ୍ୟାଳୟ ଓ ଗାଁ ପରିବେଶ ସଫା କରୁଥିବାରୁ ଶୁଭକୁ ସମସ୍ତେ ପ୍ରଶଂସା କରିବା ସହ ତାକୁ ଶୁଭେଚ୍ଛା ଜଣାଉଛନ୍ତି ।

ତେବେ ନେଦରଲ୍ୟାଣ୍ଡ ସ୍ଥିତି ଆନ୍ତର୍ଜାତୀୟ ଶିଶୁ ଅଧିକାର ସଂସ୍ଥା ‘କିଡସ ରାଇଟ୍ସ’ ପକ୍ଷରୁ ଏହି ପୁରସ୍କାର ଦିଆଯିବ । ଯେଉଁଥିରେ ୫୬ଟି ଦେଶର ୧୩୭ ଜଣ କୁନି ପ୍ରତିଭାଙ୍କ ନାଁ ଚୟନ କରାଯାଇଛି । ଧୂଳିଖେଳ ବୟସରେ ସମାଜର ଅଶିକ୍ଷାର ଅନ୍ଧାରକୁ ଦୂର କରି ଶିକ୍ଷାର ଆଲୁଅ ଆଡକୁ ଆସିବାକୁ ଆହ୍ୱାନ ଦେଉଥିବା କଅଁଳ କଢିଙ୍କ ଏଭଳି ପ୍ରୟାସ ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯାଏ । ଆଉ ତା ଭିତରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର କୁନି ଶୁଭର ନାଁ ରହିଛି । ତେବେ ଆସନ୍ତା ୩୦ରେ ଘୋଷଣା ହେବାକୁ ଥିବା ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ବିତରଣ ଉତ୍ସବରେ ଶୁଭଙ୍କ ନାଁ ଘୋଷଣା ହେଉ ଏହାହିଁ କାମନା ।