ଖାଦ୍ୟ ସୁରକ୍ଷାରେ ହିତାଧିକାରୀ ପାଇଲେନି ଲାଭ ! ଦହିବାରରେ ଲଟକିଛି ପରିବାରର ଭାଗ୍ୟ । 

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଲା ବାଟବଣା  ।

78
କନକ ବ୍ୟୁରୋ: କାକଟପୁର ଛକରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଲା ବାଟବଣା  । ଅଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା କାର୍ଡ ମିଳୁଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ହାତ ଖାଲି  । ଏପରିକି ଦହିବରା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଏକ ପରିବାରକୁ ମିଳିନି ଯୋଜନାର ଲାଭ  ।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଖାଦ୍ୟ ସୁରକ୍ଷା ଯୋଜନା କିଛି ଲୋକ ପାଇଥିବା ବେଳେ ଯେଉଁମାନେ ଏହାକ ପ୍ରକୃତ ଅଧିକାରୀ ତାଙ୍କୁ ଏହି ସୁବିଧା ମିଳିପାରି ନାହିଁ  । ସେମାନଙ୍କ ମଧ୍ୟରୁ ପୁରୀ କାକଟପୁର ବ୍ଲକ୍ କୁଣ୍ଡେଇ ଗାଁରେ ରହୁଥିବା ନୟାଗଡ଼ର ଦହିବରା ବ୍ୟବସାୟୀ ଭାସ୍କର ଜେନା । ଅସୁବିଧାରେ ବୁଡ଼ିରହିଛି ଭାସ୍କରଙ୍କ ପରିବାର, କିନ୍ତୁ ମିଳୁନି ଖାଦ୍ୟସୁରକ୍ଷା କାର୍ଡ  । ସକାଳ ହେଲେ ଚିରାଚରିତ ଢଙ୍ଗରେ ସୂର୍ଯ୍ୟ ଉଏଁ  । ତା ପୂର୍ବରୁ ଆରମ୍ଭ ହୋଇଯାଏ ଭାସ୍କରଙ୍କ ଜୀବନ ଜୀବିକାର ସଂଘର୍ଷ  । ବଜାରରେ ଦହିବରାର ପସରା ମେଲାଇବାକୁ ଭାସ୍କର ଘରୁ ବାହାରି ସ୍ୱାମୀ ସ୍ତ୍ରୀ ଦୁହେଁ ଲାଗିପଡ଼ନ୍ତି କାମରେ  । ସକାଳୁ ସଂଜ ଯାଏଁ ଦହିବରା ବେପାରରେ ଯାହା ହୁଏ ଦି ପଇସା ରୋଜଗାର, ତାକୁ ନେଇ ଚୁଲି ଜଳେ । ଫୁରସତ୍ ମିଳିଲେ ଖାଦ୍ୟ ସୁରକ୍ଷା କାର୍ଡ ପାଇଁ ବ୍ଲକ୍ ଅଫିସ୍ ବାରଣ୍ଡାରେ ଧାଁଦୌଡ଼ କରିଥାନ୍ତି । କିନ୍ତୁ କୌଣସି ସୁଫଳ ମିଳିନଥାଏ । ହଁ ନାହିଁର ଲୁଚକାଳି ଖେଳ ଦୁଃଖ ବଢ଼ାଏ ଯେବେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳେ କାର୍ଡ ଆଉ ଭାସ୍କରଙ୍କ ହାତ ରହିଯାଏ ଖାଲି  ।
ତେବେ ଗତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି  । ଅନେକ ଲୋକ ଏହାଦ୍ୱାରା ଲାଭବାନ ହୋଇଥିବା ବେଳେ ଭାସ୍କରଙ୍କ ଭଳି ଅନେକ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଛନ୍ତି  । ତେବେ ବ୍ଲକ୍ ଅଫିସକୁ ବାରମ୍ବାର ଧାଁଦୌଡ଼ ସତ୍ୱେ ବି ସେ ହାର୍ ମାନିନାହାନ୍ତି, କେଉଁଠି ନା କେଉଁଠି ବଂଚିଛି ଆଶା । ପଡ଼ିବ ପ୍ରଶାସନର ନଜର ଆଉ ମିଳିବ କାର୍ଡ  ।