ରାଜ୍ୟସରକାରଙ୍କ ଫୋକସରେ ବ୍ୟାଡମିଣ୍ଟନ ! ଓଡିଶାରେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ ପାଇଁ ହେଲା ବୁଝାମଣା । 

55

ଓଡିଶାରେ ହକି, ଫୁଟବଲ ଓ ୨୨ତମ ଏସିୟାନ ଆଥଲେଟିକ୍ ଚାମ୍ପିୟନସିପ୍ ଭଳି ଆନ୍ତର୍ଜାତୀୟ କ୍ରିଡ଼ା ଆୟୋଜିତ କରି  ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କିରିଛି ଓଡିଶା । ଓଡିଶାରୁ ଅନେକ ସମୟରେ ବହୁ ପ୍ରତିଭାବାନ ଖେଳାଳୀ  ଆର୍ନ୍ତଜାତୀୟ ସ୍ଥରରେ ଭାଗ ନେଇ ଓଡିଶାକୁ ଗøରାବନ୍ୱିତ କରିଛନ୍ତି । ତେଣୁ ରାଜ୍ୟ ସରକାର କେବଳ ହକି, ଫୁଟବଲ ଓ କ୍ରିକେଟ ନୁହେଁ ବରଂ ବ୍ୟାଡମିଣ୍ଟନ କ୍ରୀଡାକୁ ମଧ୍ୟ ପ୍ରାଧାନ୍ୟ ଦେଇ ଖୁବ ଶୀଘ୍ର ଓଡିଶାରେ ଏକ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ କରିବାକୁ ଯାଉଛନ୍ତି । ଏନେଇ ଗତ ଶୁକ୍ରବାର ଦିନ ପୂର୍ବତନ ବ୍ୟାଡମିଣ୍ଟନ ତାରକା ପୁଲେଲା ଗୋପିଚାନ୍ଦ ବ୍ୟାଡବିଣ୍ଟନ ଫାଉଣ୍ଡେସନ ସହିତ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ରାଜ୍ୟରେ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କୁ  ଗୋପିଚାନ୍ଦ ଫାଉଣ୍ଡେସନ ଆବଶ୍ୟକ ବୈଷୟିକ ସହାୟତା ଓ ତାଲିମ ପ୍ରଦାନ କରିବାରେ ସାହାଯ୍ୟ କରିବେ ବୋଲି ସରକାର ଆଶା ପ୍ରକଟ କରିଛନ୍ତି ।

ଓଡିଶାରୁ ସାଇନା, ସିନ୍ଧୁ କେମିତି ?

ବିଶ୍ୱରେ ବ୍ୟାଡବିଣ୍ଟନକୁ ଉଚ୍ଚସ୍ତରରେ ପହଁଚାଇବା ପାଇଁ ୨୦୦୮ ମସିହାରୁ ପୁଲେଲା ଗୋପିଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ ଗୋପିଚାନ୍ଦ । ଯେଉଁଥିରେ ପ୍ରତିଷ୍ଠିତ ବ୍ୟାଡମିଣ୍ଟନ ଖେଳାଳୀ  ସାଇନା ନେହୱାଲ, ପିଭି ସିନ୍ଧୁ, ପି କଶ୍ୟପ, କେ ଶ୍ରୀକାନ୍ତ ଏବଂ ଆର.ଏମ.ଭି ଗୁରୁସାଇ ଦତ୍ତ ଭଳି ପ୍ରମୂଖ ଖେଳାଳୀ ମାନେ ଗୋପିଚାନ୍ଦ ବ୍ୟଡମିଣ୍ଟନ ଏଳାଡେମୀରୁ ପ୍ରଶିକ୍ଷିତ ହୋଇଛନ୍ତି । ଏବଂ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଶାରେ ଓଡିଶା କ୍ରୀଡ଼ାକ୍ଷେତ୍ରରେ ଅଲମ୍ପିକ ମେଡାଲ ଜିତିବାକୁ ଆଶା ରଖିଛି । ଓଡିଶାର ଏହି ସ୍ୱପ୍ନକୁ ସାକାର କରିବାରେ ଗୋପିଚାନ୍ଦଙ୍କ ପ୍ରମୂଖ ଭୂମିକା ରହିବ  । କାରଣ  ସେ ଜାତୀୟ ଓ ଆନ୍ତର୍ଜାତୀୟ  ସ୍ତରର ବହୁ ବ୍ୟାଡମିଣ୍ଟନ ଖେଳାଳୀଙ୍କୁ ତାଲିମ ଦେଇଛନ୍ତି । ଯେଉଁମାନେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ତେବେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ତାଲିମ ପାଇଁ ଜଣେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳୀ  ସୃଷ୍ଟି କରିବ ତାହା ସ୍ୱଭାବିକ । ବର୍ତ୍ତମାନ ହାଇଦ୍ରାବାଦସ୍ଥିତ ଗୋପିଚାନ୍ଦ ବ୍ୟାଡମିଣ୍ଟନ ଏଳାଡେମୀରେ  ୧୦୦ରୁ ଉଦ୍ଧ୍ୱର୍ ଖେଳାଳୀ ପ୍ରଶିକ୍ଷଣ ନେଉଛନ୍ତି ଏବଂ ଏଥିମଧ୍ୟରେ ଭାରତୀୟ ବ୍ୟାଡମିଣ୍ଟନର ସର୍ବୋକୃଷ୍ଟ ଖେଳାଳୀ ଅନ୍ତର୍ଭୁକ୍ତ । ସାଇନା, ସିନ୍ଧୁ, ପି.କଶ୍ୟପ ଓ କେ.ଶ୍ରୀକାନ୍ତଙ୍କ ଭଳି ବ୍ୟାଡମିଣ୍ଟନ  ତାରକାଙ୍କ କହିବା କଥା ଯେ ଗୋପିଚାନ୍ଦଙ୍କ କଠିନ ପରିଶ୍ରମ ହିଁ ତାଙ୍କର ଏଭଳି ସଫଳତା ପଛରେ ରହସ୍ୟ । ଏବଂ ଓଡିଶାରେ ମଧ୍ୟ ସେହି ଲକ୍ଷ୍ୟ ନେଇ ଗୋପିଚାନ୍ଦ ରାଜ୍ୟର ବ୍ୟାଡମିଣ୍ଟନ ପ୍ରତି ଆଗ୍ରହୀଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ଅଛନ୍ତି ।

ଗୋପିଚାନ୍ଦଙ୍କ  କାହାଣୀ-:

ପୁଲେଲା ଗୋପିଚାନ୍ଦ ମାତ୍ର ୧୩ ବର୍ଷ ବୟସ ବେଳକୁ ଆନ୍ତଃସ୍କୁଲ ପ୍ରତିଯୋଗିତାରେ ବିଜୟ ଲାଭ କରି ବ୍ୟାଡମିଣ୍ଟନ ଖେଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହାପରେ ୫ଟି ଜାତୀୟ ପ୍ରତିଯୋଗିତାରେ ୧୯୯୬ ଓ ୨୦୦୦ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇ ପାରଦର୍ଶିତା ଲାଭ କରିଥିଲେ । ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ୨ଟି ସ୍ୱର୍ଣ୍ଣ ପଦକ ଜିତି ସେ ନିଜର ଉକ୍ରର୍ଷତା ପ୍ରତିପାଦନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୮ ମସିହାରେ ରାଜ୍ୟଗୋଷ୍ଟୀ କ୍ରିଡ଼ାରେ ପଦକ ହାସଲ କରିବା ସହ ଗୋପିଚାନ୍ଦ ଚିଲ୍ୟୁଡ ଓପନ, ସ୍କଙ୍କିସ ଓପନ ଏବଂ ଏସିଆନ ସାଟେଲାଇଟ ଓପନ ପ୍ରତିଯୋଗିତାରେ ବିଜୟ ହୋଇ ଦେଶ ଓ ବିଶ୍ୱବାସୀଙ୍କ ହୃଦୟ ଜିଣିଥିଲେ ।

୧୯୯୯ ମସିହାରେ ଅର୍ଜୁନ ପୁରସ୍କାର, ୨୦୦୧ ମସିହାରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ୨୦୦୫ରେ ପଦ୍ମଶ୍ରୀ, ୨୦୦୯ରେ ଦ୍ରୋଣାଚାର୍ଯ୍ୟ ଏବଂ ୨୦୧୪ରେ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଭୂଷଣ ଭଳି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି ଗୋପିଚାନ୍ଦ । ୨୦୦୧ ମସିହାରେ ପ୍ରକାଶ ପାଦୁକୋନଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲ ଇଂଲଣ୍ଡ ଚମ୍ପିୟାନସିପ ଜିତି ତାଙ୍କର କ୍ୟାରିୟରର ଶିଖରରେ ପହଁଚିଥଲେ ଗୋପି । ପରିଶେଷରେ ୨୦୦୪ ମସିହାରେ ଗୋପିଚାନ୍ଦ ଭାରତୀୟ ବ୍ୟାଡମିଣ୍ଟନ ସଂଘ ମୁଖ୍ୟ ପ୍ରଶିକ୍ଷକ ଦ୍ୱାୟିତ ଗ୍ରହଣ କରିଥିଲେ । ପରେପରେ ହାଇଦ୍ରାବାଦରେ ସରକାର ତାଙ୍କୁ ଜମି ପୁରସ୍କୃତ କରିଥିଲେ ସେହି ଜମିକୁ ଗୋପିଚାନ୍ଦ ଏକ ସ୍ୱତନ୍ତ୍ର ଏକାଡେମୀ ନିର୍ମାଣ କରିବା ପାଇଁ ଉଦ୍ୟମ କରିଥିଲେ । ଯେଉଁଥି ପାଇଁ ଆଶ୍ୟକୀୟ ପାଣ୍ଠି ଅଭାବ କାରଣରୁ ନିଜର ଗୃହକୁ ମଧ୍ୟ ବନ୍ଧକ ରଖି ତାଙ୍କ ସ୍ୱପ୍ନ ସାକାର କରିଥିଲେ । ଗୋପିଙ୍କର ଏହି ପରିଶ୍ରମ ଏବଂ ନିସ୍ୱାର୍ଥପର ଚିନ୍ତାଦ୍ୱାରା ପ୍ରତିଷ୍ଠା କରିଥିବା ବ୍ୟାଡମିଣ୍ଟନ ଏଳାଡେମୀରୁ ଆଜି ସାଇନା, ସିନ୍ଧୁ ଓ କଶ୍ୟପଙ୍କ ଭଳି ଖେଳାଳୀ ଭାରତକୁ ମିଳିଛି । ତେଣୁ ଓଡିଶାରେ ନିର୍ମାଣ ହେବାକୁଥିବା ବ୍ୟାଡମିଣ୍ଟନ ଏଳାଡେମୀରୁ ମଧ୍ୟ ସାଇନା ଓ ସିନ୍ଧୁ ପରି ଅନେକ ଖେଳାଳୀ ମଧ୍ୟ ଦେଶକୁ ମିଳିବେ ବୋଲି ଆଶା ପ୍ରକଟ କରିଛନ୍ତି ଗୋପିଚାନ୍ଦ ।