୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ ! କୋରାପୁଟ, ମାଲକାନଗିରି ସମେତ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ।

26

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର ଆଡକୁ ଗତି କରୁଛି । ଏହା ୱେଲମାର୍କରେ ପରିଣତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହେବ । ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ମାଲକାନଗିରି, କୋରାପୁଟ, ବରଗଡ, ନୂଆପଡା ଓ ନବରଙ୍ଗପୁରରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।

ସେପଟେ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକ ପ୍ରଭାବିତ ହୋଇଛି । କୋରାପୁଟ, ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଗୁପ୍ତେଶ୍ୱରକୁ ଯିବା ବାଟ ବନ୍ଦ ହୋଇଛି । ନଦୀ ନାଳରେ ଖାଲି ପାଣି ଆଉ ପାଣି । ଲୋକେ ଜଳବନ୍ଦୀରେ ଥିବାବେଳେ ରାସ୍ତା ଘାଟ ସବୁ ଧୋଇ ହୋଇଯାଇଛି । ଗୁପ୍ତେଶ୍ୱରକୁ ଯିବା ରାସ୍ତା ଧୋଇ ହୋଇଯାଇଛି । ଶୈବପୀଠକୁ ଯାଇଥିବା ରାସ୍ତା ପାଣିରେ ଭାସିଯାଇଛି । ଫଳରେ ସୋମବାର ଦିନ କାଉଡିଆ କେମିତି ଯିବେ ସେ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ବର୍ଷା ଯୋଗୁଁ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ପାଙ୍ଗାମା ପୋଲ ଉପରେ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଜୟପୁର-ମାଲକାନଗିରି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କାଲିମେଳାକୁ ବି ଯୋଗେଯାଗ ବିଚ୍ଛିନ୍ନ ହୋଇଯାଇଛି । ପୋଟେରୁ ଗାଁରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କଙ୍ଗାରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । କାଲିମେଳାରୁ ପଡିଆ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କୋରକୁଣ୍ଡା ଓ କାର୍ଲାକୋଟା ପୋଲ ଉପରେ ପୋଲ ଉପରେ ବନ୍ୟାଜଳ ପ୍ରବାବିତ ହେଉଛି ।