ମେଘାଳୟରେ ୩୭୦ ଫୁଟ୍ ତଳେ କୋଇଲା ଖଣିରେ ୧୫ ଦିନ ହେଲା ଫସିରହିଛନ୍ତି ଶ୍ରମିକ ! ଉଦ୍ଧାର ପାଇଁ ସହାୟତାର ହାତ ବଢାଇଲା ଓଡିଶା ।

194

କନକ ବ୍ୟୁରୋ : ମେଘାଳୟରେ କୋଇଲାଖଣି ଭିତରେ ଫଶି ଯାଇଥିବା ୧୫ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢେଇଛି ଓଡିଶା । ଆଜି ଓଡିଶା ଅଗ୍ନିଶମ ବାହିନୀର ବଛା ବଛା ୨୦ଜଣ ଯବାନ ଉଦ୍ଧାରକାର୍ଯ୍ୟରେ ସାମିଲ ହେବା ପାଇଁ ମେଘାଳୟ ଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମେଘାଳୟରେ ପହଁଚି ଆଧୁନିକ ଯନ୍ତ୍ରପାତି ସହ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ଓଡିଶା ଅଗ୍ନିଶମ ବାହିନୀର କର୍ମଚାରୀ  ।

ହିନ୍ଦି ଚଳଚ୍ଚିତ୍ର କାଲାପଥରର ଦୃଶ୍ୟ ଠାରୁ କିଛି କମ ନଥିଲା ମେଘାଳୟ କୋଇଲା ଖଣିରେ ଘଟିଥିବା ଅଘଟଣର ଚିତ୍ର । କୋଇଲାଖଣି ଭିତରକୁ ମାଡି ଆସିଥିଲା ପାଣିର ସ୍ରୋତ । ମେଘାଳୟର ଜୟନ୍ତିଆ ପାହାଡ । ତାରିଖ-୧୩ ଡିସେମ୍ବର ୨୦୧୮ । ବେଆଇନ କୋଇଲା ଖନନ ଚାଲିଥିବା ବେଳେ ହଠାତ ସୁଡଙ୍ଗ ଭିତରକୁ ମାଡି ଆସିଥିଲା ୭୦ ଫୁଟର ପାଣି । ୩୭୦ଫୁଟ ତଳେ ଫଶିଯାଇଥିଲେ ୧୫ଜଣ ଶ୍ରମିକ । ଖଣି ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ମେଘାଳୟ ଉଦ୍ଧାରକାରୀ ଟିମ ସହ କୋଲ ଇଣ୍ଡିଆର ଟିମ ଉଦ୍ୟମ କରୁଛନ୍ତି । କିନ୍ତୁ ଖଣି ଭିତରେ ପାଣି ଜମି ରହିଥିବାରୁ ଅଘଟଣର ଦୁଇ ସପ୍ତାହ ପରେ ବି ଉଦ୍ଧାରକାର୍ଯ୍ୟ ସମ୍ଭବ ହୋଇ ନାହିଁ । ଏଭଳି ସ୍ଥିତିରେ ମେଘାଳୟକୁ ସହଯୋଗର ହାତ ବଢାଇଛି ଓଡିଶା ।

ମେଘାଳୟର କୋଇଲାଖଣିରେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ଓଡିଶା ଅଗ୍ନିଶମ ବାହିନୀର ବଛା ବଛା ୨୦ଜଣ ଯବାନ । ଆଧୁନିକ ଯନ୍ତ୍ରପାତି ସହ ସେମାନେ ମେଘାଳୟରେ ପହଁଚିଛନ୍ତି । ଆଜି ସକାଳୁ ଓଡିଶାର ଉଦ୍ଧାରକାରୀ ଟିମ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଯାଇ ମେଘାଳୟରେ ପହଁଚିଛନ୍ତି । ସବୁଠାରୁ ବଡ କଥା ହେଉଛି ଓଡିଶାରୁ ଯାଇଥିବା ଏହି ଉଦ୍ଧାରକାରୀ ଟିମଙ୍କ ପାଖରେ ରହିଛି ସ୍ୱତନ୍ତ୍ର ପାୱା ମୋଟର । ଯାହାକି ଖଣି ଭିତରୁ ପାଣି ନିଷ୍କାସନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡିଶାରୁ ଯାଇଥିବା ଏହି ୨୦ଜଣ ଯବାନ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଥିବାରୁ ଉଦ୍ଧାରକାର୍ଯ୍ୟ ଆହୁରୀ ଗତିଶୀଳ ହେବ ବୋଲି ଆଶା କରାଯାଉଛି ।