ପରଲୋକରେ ଓଡିଆ ସିନେ ଦୁନିଆର ଜଣାଶୁଣା ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ମନମୋହନ ମହାପାତ୍ର । ଆଜି ପୁରୀରେ ହେବ ଅନ୍ତିମ ସଂସ୍କାର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପର୍ଣ୍ଣ ହେବ ଶେଷକୃତ୍ୟ ।

308

କନକ ବ୍ୟୁରୋ : ଓଡିଆ ସିନେ ଦୁନିଆର ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ରଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ପୁରୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏବଂ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି ।

ମନମୋହନ ମହାପାତ୍ର । ଓଡିଆ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ଜଣେ ନିର୍ମାତା, ନିର୍ଦ୍ଦେଶକ ଓ ଲେଖକ ଭାବେ ପରିଚିତ ମନମୋହନ ମହାପାତ୍ରଙ୍କ ୬୯ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ୧୯୫୧ ମସିହା ନଭେମ୍ବର ୧୦ରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମନମୋହନ । ଭଲ ଫିଲ୍ମଟିଏ ନିର୍ଦ୍ଦେଶନା କରିବା ସବୁବେଳେ ତାଙ୍କୁ ଆକର୍ଷିତ କରିଥାଏ । ନୀରବ ଝଡ, ନିଶିଦ୍ଧ ସ୍ୱପ୍ନ, କିଛି ସ୍ମୃତି.. କିଛି ଅନୁଭୁତି, ଅନ୍ଧ ଦିଗନ୍ତ, ବିନୟ ସମୟ, ଅଗ୍ନିବୀଣା, ମହୁରତ ପରି ଅନେକ ସିନେମା ଭେଟିଦେଇଛନ୍ତି ମନମୋହନ ମହାପାତ୍ର । ନିଜ ଦକ୍ଷ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନେକଥର ପୁରସ୍କୃତ ହୋଇଛନ୍ତି ।

ନିକଟରେ ୨୦୧୮ମସିହାର ଫିଲ୍ମ ଭିଜା ମାଟିର ସ୍ୱର୍ଗ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାରରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଥିଲେ । ସିନେମାଟି ଶ୍ରେଷ୍ଠ ନିର୍ଦ୍ଦେଶକ ସମେତ ଭିନ୍ନ ଭିନ୍ନ ବିଭାଗରେ ୮ଟି ସମ୍ମାନ ହାତେଇବାରେ ସଫଳ ହୋଇଥିଲା । ୧୯୭୬ ମସିହାର ତାଙ୍କ ନିର୍ଦ୍ଦେଶିତ ସିନେମା ‘ଶୀତ ରାତି’ ପ୍ରଥମ ଥର ପାଇଁ କୌଣସି ଓଡିଆ ଫିଲ୍ମ ଭାବେ ଅର୍ନ୍ତଜାତୀୟ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ଏହାସହ ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଥିଲା ଏହି ସିନେମା । ଶୀତ ରାତି ବ୍ୟତିତ ନୀରବ ଝଡ ପାଇଁ ମଧ୍ୟ ମନମୋହନଙ୍କୁ ମିଳିଥିଲା ଜାତୀୟ ଚଳଚିତ୍ର ସମ୍ମାନ । ୧୯୭୫ ମସିହାରେ କ୍ଷୁଦ୍ର ଚଳଚିତ୍ର ଆଟିଂ ମେମୋରିରୁ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଭାବେ ନିଜ ଯାତ୍ରା ଆରମ୍ଭ କରିଥିଲେ । ପ୍ରାମାଣିକ ସିନେମା ଆଟିଂ ମେମୋରି, ଭୟସ ଅଫ ସାଇଲେନ୍ସ, କୋଣାର୍କ ତାଙ୍କ ନିର୍ଦ୍ଦେଶନାକୁ ସୁନ୍ଦର ଭାବେ ବାଖ୍ୟା କରେ ।