୧୧୨ ଜଣଙ୍କ ସଂସ୍ପର୍ଶରେ ତୃତୀୟ କରୋନା ଆକ୍ରାନ୍ତ । କାହା କାହା ସଂସ୍ପର୍ଶରେ ଆସିଛନ୍ତି ଆକ୍ରାନ୍ତ ବ୍ୟକ୍ତି ? ସୁବ୍ରତ ବାଗଚୀ ଦେଲେ ସବିଶେଷ ତଥ୍ୟ

7,145

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସବିଶେଷ ସୂଚନା ଦେଲେ ସୁବ୍ରତ ବାଗଚୀ । ଦ୍ରୃତ ସଂକ୍ରାମକର ଉଦାହରଣ ଦେଇ ଓଡିଶାର ୩ ଆକ୍ରାନ୍ତଙ୍କ କନଟାକ୍ଟ ଚେନର ପୂରା ସୂଚନା ଦେଲେ ସୁବ୍ରତ । ୩ୟ ଆକ୍ରାନ୍ତ ବ୍ୟକ୍ତି ମୋଟ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ବିମାନରେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଘରେ ଝିଅ, ସ୍ତ୍ରୀ, ଡ୍ରାଇଭର ଏବଂ ୩ ସହାୟିକାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ବ୍ୟାଙ୍କରେ ୪୪ ଜଣ, ବିଧାନସଭାରେ ୭ ଜଣ, ଚିକିତ୍ସିତ ହେଉଥିବା କ୍ଲିନିକରେ ୨୧ ଜଣ ଏବଂ ରକ୍ତ ପରୀକ୍ଷା କରାଇଥିବା ପାଥୋଲାବରେ ୩ ଜଣଙ୍କ ସହ ସଂସ୍ପର୍ଶରେ ଆକ୍ରାନ୍ତ ବ୍ୟକ୍ତି ଆସିଥିବା ସ୍ପଷ୍ଟ କରିଛନ୍ତି ସୁବ୍ରତ ।

ତେବେ ଆକ୍ରାନ୍ତଙ୍କ ସହ ସମ୍ପର୍କରେ ଆସିଥିବା ୧୧୨ ଜଣଙ୍କ ସହ ଯୋଗାଯୋଗ ହୋଇଛି । ମାତ୍ର ୧୫ ଜଣଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ୧୧୨ ମଧ୍ୟରୁ ୧୧ ଜଣଙ୍କ ନମୂନା ପରୀକ୍ଷା ପଠାଯାଇଛି । ଗତକାଲି ଜଣଙ୍କର ନମୂନା ନେଗେଟିଭ ଆସିଥିବା ବେଳେ ଅନ୍ୟ ୧୦ଟିର ରିପୋର୍ଟ ଆସିନାହିଁ ।

ଗତକାଲି ଦକ୍ଷିଣ କୋରିଆର ସୁପର ସ୍ପ୍ରେଡର ବା ପେସେଣ୍ଟ-୩୧ର ଉଦାହରଣ ଦେଇଥିଲେ ବାଗଚୀ । କେମିତି ଉକ୍ତ ମହିଳା ଜଣଙ୍କ ସଂକ୍ରମିତ ହେବା ପରେ ୧୧୬୦ ଜଣଙ୍କୁ ସଂକ୍ରମିତ କରି କୋରିଆର ଚିନ୍ତା ବଢାଇଥିଲେ । ତେବେ ଲଡକାଉନ ସମୟରେ ସମସ୍ତେ ଘରେ ରହିଲେ ହିଁ ଏହି ଚେନକୁ ଭଙ୍ଗା ଯାଇ ପାରିବ ବୋଲି ସୁବ୍ରତ କହିଛନ୍ତି ।

ସେପଟେ ଓଡିଶାରେ ୨୫୬ଟି ନମୂନା ପରୀକ୍ଷା ପାଇଁ ଯାଇଥିଲା । ସେଥିରୁ ସେହି ୩ ଜଣ ପଜିଟିଭ ଅଛନ୍ତି । ୩ୟ ଆକ୍ରାନ୍ତଙ୍କ ଅବସ୍ଥା ଉନ୍ନତୀ ଆସୁଛି । ଅନ୍ୟ ୨ ଜଣ ସ୍ୱାଭାବିକ ଅଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୬ ଜଣଙ୍କୁ ଏକାନ୍ତବାସରେ ରଖାଯାଇଛି ।