ଅମଳ ହେଉଛି ଓଡିଶାରେ, ବିକ୍ରି ହେଉଛି ଛତିଶଗଡରେ । ଜାଣନ୍ତୁ ଧାନ ବିକିବାକୁ ଓଡିଶା ଛାଡି ଛତିଶଗଡ କାହିଁକି ଯାଉଛନ୍ତି ଚାଷୀ

357

କନକ ବ୍ୟୁରୋ : ବୋନସର ଆକର୍ଷଣ ଓଡ଼ିଶା ଚାଷୀକୁ ଟାଣି ନେଉଛି ଛତିଶଗଡ଼ । ବରଗଡ଼ ଏବଂ କଳାହାଣ୍ଡି ଭଳି ସୀମାନ୍ତ ଜିଲ୍ଲାର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିବା ବଦଳରେ ପଡୋଶୀ ରାଜ୍ୟ ଛତିଶଗଡ଼ରେ ଧାନ ବିକ୍ରି କରୁଛନ୍ତି । ଓଡ଼ିଶାରେ ଧାନ କିଣା ବେଳେ ଅହେତୁକ ଭାବରେ କାଂଟଛାଂଟ ହେଉଥିବା ଚାଷୀ ଅଭିଯୋଗ କରିବା ସହ ଛତିଶଗଡ଼ରେ କ୍ୱିଂଟାଲ ପିଛା ୨୫ଶହ ଟଙ୍କା ମିଳୁଥିବା କହିଛନ୍ତି । ଯେଉଁଥିପାଇଁ ଛତିଶଗଡ଼ରେ ଧାନ ବିକ୍ରି କରିବାକୁ ମନ ବଳାଉଛନ୍ତି ଓଡ଼ିଶାର ଚାଷୀ ।

ଧାନ ଅମଳ ହେଉଛି ଓଡ଼ିଶାରେ, କିନ୍ତୁ ବିକ୍ରି ହେଉଛି ପଡ଼ୋଶୀ ଛତିଶଗଡ଼ରେ । ଓଡ଼ିଶାର ସୀମାନ୍ତ ଜିଲ୍ଲାର ଚାଷୀ ଏବେ ଛତିଶଗଡ଼ରେ ଧାନ ବିକ୍ରି କରିବାକୁ ଅଧିକ ଆଗ୍ରହୀ । କାରଣ ଓଡ଼ିଶା ଅପେକ୍ଷା ଛତିଶଗଡ଼ ଗଡ଼ରେ ମିଳୁଛି କ୍ୱିଂଟାଲ ପିଛା ଅଧିକ ୭୫୦ ଟଙ୍କା ।ଓଡ଼ିଶାରେ ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କା ଥିବା ବେଳେ ବୋନସ ମିଶାଇ ଛତିଶଗଡ଼ରେ ମିଳୁଛି ୨୫୦୦ ଟଙ୍କା ।

ପଡ଼ୋଶୀ ଛତିଶଗଡ଼ରେ କେବଳ ଧାନର ଅଧିକ ମୁଲ୍ୟ ମିଳୁନି । ବରଂ ଓଡ଼ିଶା ଭଳି ଧାନର ମାନକୁ ଆଳ କରି କୌଣସି କାଂଟଛାଂଟ ହେଉନଥିବା କହିଛନ୍ତି ଛତିଶଗଡ଼ରେ ଧାନ ବିକିଥିବା ଓଡ଼ିଶା ଚାଷୀ । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ୨୫ରୁ ୩୦ ଗାଁ ଛତିଶଗଡ଼ ସୀମାରେ ରହିଛି । ଆଉ ଏହି ଗାଁର ଚାଷୀ ପଦ୍ମପୁର ଆଣି ଧାନ ବିକ୍ରି କରିବା ବଦଳରେ ଛତିଶଗଡ଼କୁ ନେଇ ଯାଉଛନ୍ତି । କିନ୍ତୁ । କିନ୍ତୁ ଯୋଗାଣ ଅଧିକାରୀ କହୁଛନ୍ତି ସେମିତି କିଛି ଖବର ନାହିଁ ।

ବରଗଡ଼ ଜିଲ୍ଲାରେ ଯେଉଁ ଅବସ୍ଥା କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଂଚଳରେ ସେଇ ସମାନ ଅବସ୍ଥା । ଦଲାଲ୍ ଏବଂ ମିଲ୍ ମାଲିକଙ୍କଠାରୁ ଶୋଷଣ ହେବା ଅପେକ୍ଷା, ପଡୋଶୀ ରାଜ୍ୟରେ ଧାନ ବିକ୍ରି କରିବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି କଳହାଣ୍ଡିର ଚାଷୀ । ଛତିଶଗଡ଼ରେ ନୂଆ ସରକାର ଆସିବା ପରେ କୃଷିୠଣ ଛାଡ଼ କରିବା ସହ ଧାନର ସର୍ବନିମ୍ନ ସହାୟକ ମୁଲ୍ୟକୁ ୨୫ଶହ ଟଙ୍କାକୁ ବଢ଼ାଇ ଦେଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ପଡ଼ିଛି । ଏମିତି କି ଓଡ଼ିଶା ସରକାର ବି ଧାନର ମୁଲ୍ୟ ବୃଦ୍ଧି କରିବାକୁ ଦାବି ହୋଇଛି ।

Comments are closed.