ବର୍ଷା ଆସୁଛି ଚିନ୍ତା ବଢୁଛି: ଧାନ ଅମଳ ସମୟରେ ବର୍ଷା ଆକଳନ ପରେ ଚାଷୀ ମନରେ ଛନକା

ଖୋଲା ଆକାଶ ତଳେ ପଡିଛି ଶହଶହ ଧାନ ବସ୍ତା

111

କନକ ବ୍ୟୁରୋ: ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ପେଥାଇ ପ୍ରଭାବରେ ଓଡିଶାରେ ବର୍ଷା ହୋଇପାରେ । ୧୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ ହେବା ପରେ ଚାଷୀଙ୍କ ମନରେ ଛନକା ପଶିଛି । କେଉଁଠି ଜମିରୁ ଧାନ ଅମଳ କରି ଘରକୁ ଆଣିବା ପାଇଁ ଚାଷୀ ଅଂଟା ଭିଡିଛି ତ ଆଉ କେଉଁଠି ମଣ୍ଡି ଖୋଲି ନଥିବାରୁ ଖୋଲା ଆକଶ ତଳେ ଧାନ ବସ୍ତା ରଖି ଚିନ୍ତାରେ ପଡିଛି ।

ଧାନ ଅମଳ ସମୟରେ ବର୍ଷା ଆସୁଥିବାରୁ ଆତଙ୍କିତ ଚଷାପୁଅ । ଶୀତରେ ବର୍ଷା ଆକଳନକୁ ନେଇ ଚିନ୍ତାରେ ସମୂଦ୍ରକୂଳିଆ ଅଂଚଳ ପୁରୀ ଜିଲ୍ଲା ଅସ୍ତରଙ୍ଗ ଚାଷୀ । ଚାଷୀମାନେ ଧାନକୁ କାଟି ଘରକୁ ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି । କିଏ ଟ୍ରାକ୍ଟରରେ ଲଦି ଖଳାକୁ ଆଣୁଛି ତ କିଏ ବାଇକ୍ରେ ଲଦି ଧାନ ବୋହୁଛନ୍ତି । ଆଉ ଘରଠାରୁ ଦୂରରେ ଥିବା ଜମିରେ ଧାନକୁ କାଟି ବାହିଆ କରି ରଖିବା ସହ ମେସିନ ଲଗେଇ ଅମଳ କରି ବସ୍ତାବସ୍ତା ଧାନ ଘରକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ବର୍ଷା ହେଲେ ଅମଳକ୍ଷମ ଧାନ ନଷ୍ଟ ହେବ ତା ନୁହେଁ । ଅସ୍ତରଙ୍ଗରେ ବହୁ ଚାଷୀ ପନିପରିବା ଚାଷ କରିଛନ୍ତି । ବିଲରେ ଫୁଲକୋବି ଭର୍ତି ହୋଇଥିବା ବେଳେ ବାଇଗଣ ଗଛ ଫୁଲ କଷିରେ ଭର୍ତି ହୋଇଛି । ଏଭଳି ସ୍ଥିତିରେ ବର୍ଷା ହେଲେ ଫସଲ ଚାଷ ହାନି ହେବାର ଆଶଙ୍କା ରହିଛି ।

ସେପଟେ କେନ୍ଦ୍ରୁଝରର ଭାତହାଣ୍ଡି କୁହାଯାଉଥିବା ହାଟଡିହି ଅଂଚଳରେ ମଧ୍ୟ ବର୍ଷା ଆତଙ୍କ । ହେଲେ ଏଠାରେ ସମସ୍ୟା ଟିକି ଭିନ୍ନ । ବର୍ଷା ଆସୁଥିବା ବେଳେ ଏଯାଏଁ ବ୍ଲକରେ ସରକାରୀ ମଣ୍ଡି ଖୋଲିନାହିଁ । ଫଳରେ ଶାସଙ୍ଗ ଗାଁର ଚାଷୀ ଅମଳ ଧାନକୁ ଖୋଲା ଆକାଶ ତଳେ ରଖି ମଣ୍ଡିକୁ ଅପେକ୍ଷା କରିଛନ୍ତି । ବର୍ଷା ଆଗରୁ ମଣ୍ଡି ନଖୋଲିଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି ।