ବଜ୍ରପାତ ମୁକାବିଲାରେ ଓଡ଼ିଶାକୁ ସଫଳତା : ୪ ମାସ ଭିତରେ ୯ ଲକ୍ଷରୁ ଅଧିକ ବଜ୍ରପାତ

835

କନକ ବ୍ୟୁରୋ : ରାଜ୍ୟରେ ବଜ୍ରପାତ ନେଇ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ କମ ସଂଖ୍ୟାରେ ଜୀବନହାନୀ ଘଟୁଛି । ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି । ଗତ ୪ ମାସ ଭିତରେ ଓଡ଼ିଶାରେ ପ୍ରାୟ ୯ ଲକ୍ଷରୁ ଅଧିକ ବଜ୍ରପାତ ହୋଇଥିବାବେଳେ ଏଥିରେ ୧୨୯ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ କହିଛନ୍ତି ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସଏମଏସ ଓ ସତର୍କ ଆପ୍ ଜରିଆରେ ଆଗୁଆ ସୂଚନା ପ୍ରଦାନ ଯୋଗୁଁ ସେମାନଙ୍କ ଜୀବନରକ୍ଷା କରାଯାଇପାରୁଛି ।

ପରିସଂଖ୍ୟାନରୁ ଜଣାପଡ଼ିଛି, ଚଳିତବର୍ଷ ଏପ୍ରିଲ ପହିଲାରୁ ଜୁଲାଇ ୩୧ ମଧ୍ୟରେ ସମଗ୍ର ଦେଶରେ ୬୪ ଲକ୍ଷ ୫୫ ହଜାର ୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ୯ ଲକ୍ଷ ୨୯୬ଟି ଘଟିଛି । ଏହି ସମୟ ଭିତରେ ଉତ୍ତରପ୍ରଦେଶରେ ସର୍ବାଧିକ ୨୪୪ଜଣଙ୍କ ପ୍ରାଣହାନୀ ଘଟିଛି । କ୍ଲାଇମେଟ ରେସିଲିଏଣ୍ଟ ସିଷ୍ଟମ ପ୍ରମୋସନ କାଉନସିଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ଓଡ଼ିଶା ଓ କର୍ଣ୍ଣାଟକ ବଜ୍ରପାତ ମୁକାବିଲାରେ ସବୁଠାରୁ ଆଗରେ ରହିଛନ୍ତି । ଚଳିତବର୍ଷ ରାଜ୍ୟରେ ଜୁନ୍ ୨ ତାରିଖରେ ସର୍ବାଧିକ ୨ ଲକ୍ଷ ୧୯ ହଜାର ବଜ୍ରପାତ ହୋଇଥିବାବେଳ ବଜ୍ରପାତ ପ୍ରବଣ ରାଜ୍ୟରେ ମୋଟ ୨୬ ଲକ୍ଷ ୧୪ ହଜାର ୮୪୧ଟି ବଜ୍ରପାତ ଘଟିଛି । ଏପ୍ରିଲ ୧୫ ଓ ୧୬ ତାରିଖ ଦିନ ମାତ୍ର ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟରେ ବଜ୍ରପାତ ଘଟି ସର୍ବାଧିକ ୮୯ ଜଣଙ୍କର ମୃତ୍ୟୁ ହୋଇଛି ।