ସଂଗୀନ ହେଉଛି ସ୍ୱାଇନ୍ ଫ୍ଲୁ ! ଏଚୱାନଏନୱାନ ଭୂତାଣୁରେ ରାଜ୍ୟରେ ୮୪ ଆକାନ୍ତ

22

କନକ ବ୍ୟୁରୋ: ଡାକ୍ତରଙ୍କୁ ହେଲା ସ୍ୱାଇନ୍-ଫ୍ଲୁ । ଏସସିବି ମେଡିକାଲ କଲେଜର ଜଣେ ମହିଳା ଡାକ୍ତର ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରକ୍ତ ନମୁନାରେ ଏଚୱାନଏନୱାନ ଭୂତାଣୁ ରହିଥିବା ଯାଂଚରୁ ଜଣାପଡିଛି । ତେବେ କଟକ ବଡ ମେଡିକାଲ ଡାକ୍ତରଙ୍କ ସୂଚନା ଅନୁଯାୟୀ ଏବେ କଟକ ମେଡିକାଲରେ ୯ଜଣ ରୋଗୀ ସ୍ୱାଇନ୍ ଫ୍ଲୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ରକ୍ତରେ ଏଚୱାନଏନୱାନ ପଜିଟିଭ୍ ରହିଥିବା ରକ୍ତନମୁନା ଯାଂଚରୁ ଜଣାପଡିଛି ।

୭ଜଣଙ୍କର ରକ୍ତନମୁନା ଯାଂଚ ପାଇଁ ପଠାଯାଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରଖାଯାଇଛି । ସେପଟେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଏଯାଏଁ ରାଜ୍ୟରେ ଏଚୱାନଏନୱାନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଛୁଇଁଛି । ଏହା ସହିତ ଏହି ରୋଗରେ ଚଳିତ ବର୍ଷ ରାଜ୍ୟରେ ୪ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଛି ।

ଅନ୍ୟପଟେ ରାଜ୍ୟରେ ସ୍ୱାଇନ୍-ଫ୍ଲୁର ଆତଙ୍କକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଥିବା ଆଇସୋଲେସନ୍ ଆଇସିୟୁରେ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଭେଣ୍ଟିଲେଟରର ବ୍ୟବସ୍ଥା ନ ଥିବା ନେଇ ଅଭିଯୋଗ ହେବା ପରେ କର୍ତୃପକ୍ଷ ଆଜି ତତ୍ପରତା ଦେଖାଇଛନ୍ତି । ଏହାସହ ୪ଟି ମନିଟରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆହୁରି ୩ଟି ମନିଟର ହସ୍ପିଟାଲକୁ ଯୋଗାଇ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ ।

ସୂଚନା ଅନୁଯାୟୀ, ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ସରକାରଙ୍କ ନିୟମ ରହିଛି । ଚଳିତମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ଗାଇଡଲାଇନ୍ ଜାରି କରାଯାଇଥିଲା । ଏଥିରେ ଭେଣ୍ଟିଲେଟର୍ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ରହିଥିଲା । ମାତ୍ର କ୍ୟାପିଟାଲ ହସ୍ପିଟାଲରେ ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡ ଖୋଲିଥିଲେ ହେଁ ଭେଣ୍ଟିଲେଟର୍ ଲାଗିପାରି ନ ଥିଲା । ତେବେ ଏଥିପାଇଁ ଅଭିଯୋଗ ହେବା ପରେ ଆଜି ହସ୍ପିଟାଲ କତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଥିବା ଆସୋଲେସନ୍ ଆଇସିୟୁରେ ଗୋଟିଏ ଭେଣ୍ଟିଲେଟର୍ ଲଗାଯାଇଛି । ଏହି ଓ୍ଵାର୍ଡରେ ସମୁଦାୟ ୮ଟି ବେଡ୍ ରହିଥିବା ବେଳେ ୪ଟି ସାଧାରଣ ଓ୍ଵାର୍ଡ ଓ ୪ଟି ଆଇସୋଲେସନ୍ ଆଇସିୟୁ ପାଇଁ ସଂରକ୍ଷିତ ରହିଛି ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି ଆର ଦାସଙ୍କ ସୂଚନା ଅନୁଯାୟୀ, ଆଇସୋଲେସନ୍ ଆଇସିୟୁରେ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି । ଏହାସହ ୪ଟି ମନିଟର୍ ମଧ୍ୟ ରହିଛି । ଏହି ଆଇସିୟୁରେ ସ୍ୱାଇନ୍ ଫ୍ଲୁ, ଡେଙ୍ଗୁ, ଯକ୍ଷ୍ମା ଓ ହାଡ଼ଫୁଟି ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ଜଣେ ସ୍ୱାଇନ୍ ଫ୍ଲୁ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ଆବଶ୍ୟକ ପରିମାଣର ଔଷଧ ଓ ମାସ୍କ ଯୋଗାଇ ଦିଆଯାଇଛି । ନିକଟରେ ହୋଇଥିବା ବୈଠକରେ ହସ୍ପିଟାଲକୁ ଆହୁରି ୩ଟି ଭେଣ୍ଟିଲେଟର୍ ଯୋଗାଇଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଡା.ଦାସ ସୂଚନା ଦେଇଛନ୍ତି ।